ମେଗା ଜଳସେଚନ ପ୍ରକଳ୍ପ ପାଇଁ ଶତାଧିକ ଚାଷୀ ଯୁଗ୍ମ ଜନଶୁଣାଣୀରେ ବିକ୍ଷୋଭ: ନାଲି ଫିତା ଭିତରେ ରହିଛି ହରଭଙ୍ଗା ବ୍ଲକର ତିନିଗୋଟି ପ୍ରକଳ୍ପ
ହରଭଙ୍ଗା,୧୯/୧୨- ରାଜ୍ୟ ସରକାରଙ୍କ ପାର୍ବତ୍ୟ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଯୋଜନା
ଅଧୀନରେ ଚାଳିଶରୁ ଉର୍ଦ୍ଧ୍ୱ ପ୍ରକଳ୍ପ ନିର୍ମାଣ ପାଇଁ ୭/୧୨/୨୦୧୮ ରେ ସାମିଲ ହୋଇଥିଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସାଂପୋଚ, ରାମଗଡ଼ ଓ ଧଳପୁର । ଏଥିପାଇଁ ୧୭ କୋଟିରୁ ଉର୍ଦ୍ଧ୍ୱ ଚାରୋଟି ଟେଣ୍ଡର ଡକାଯାଇ ୧୫ବର୍ଷ ରକ୍ଷଣା ବେକ୍ଷଣ ପାଇଁ ୧୪୦କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚହେବାର ବ୍ୟୟ ଅଟକଳ କରାଯାଇଥିଲା କିନ୍ତୁ ଦୁଃଖର ବିଷୟ ଏହି ଯୋଜନାରେ ଆଜକୁ ୫ବର୍ଷ ବିତିଯିବା ପରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକକୁ ଛାଡି ଓଡ଼ିଶାର କଳାହାଣ୍ଡି, ବରଗଡ, ବଲାଙ୍ଗୀର,ଗଜପତି ଆଦି ଜିଲ୍ଲା ମାନଙ୍କରେ କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ଓଡ଼ିଶାର ବୃହତ୍ତମ ନଦୀ ଶଯ୍ୟାରେ ଏହି ତିନୋଟି ପ୍ରକଳ୍ପକୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି । ୫ ବର୍ଷ ଭିତରେ କାଗଜ କଲମରେ ଚାଷୀଙ୍କୁ ଭୁଆଁ ବୁଲାଉଥିବା ହରଭଙ୍ଗା ବ୍ଲକର ଏହି ତିନୋଟି ପ୍ରକଳ୍ପ ରାଜ୍ୟସରକାରଙ୍କ ଅନୁମୋଦନ ପରେ ଚଳିତବର୍ଷ ୨୨/୯/୨୦୨୨ ଯାଏଁ ନାମନଥିବା ଯୋଗୁଁ ଆଜି ସ୍ଥାନୀୟ ଧଳପୁର ପଂଚାୟତ ଠାରେ ହୋଇଥିବା ଜନଶୁଣାଣୀ କାର୍ଯ୍ୟକ୍ରମରେ ଚାଷୀନେତା ଇଂ.ବିକାଶ ମହାକୁଡ଼, ଦୁଷ୍ମନ୍ତ ଲଉରିଆ, ଚନ୍ଦନ ମହାକୁଡ଼ ଓଡିଶାର ସିନେ ଜଗତର ନିର୍ଦ୍ଦେଶକ ତଥା ବୌଦ୍ଧ ଜିଲ୍ଲାର କୃଷକ ନେତା ବନମାଳୀ ରଣା ଏବଂ ଧଳପୁର, ରାମଗଡ, ଓ ସାଂପୋଚ ପଞ୍ଚାୟତର ଶତାଧିକ ଚାଷୀ ବିକ୍ଷୋଭରେ ଆସି ଜନଶୁଣାଣୀ ହେଉଥିବା ଧଳପୁର ପଂଚାୟତରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ସାହୁ ସମସ୍ତଙ୍କ ଉପସ୍ଥିତିରେ ଆସନ୍ତାକାଲି ଅର୍ଥାତ ୨୦/୧୨/୨୦୨୨ରେ ଜରୁରୀକାଳୀନ ବୈଠକ କରି ଏହି ସମସ୍ୟାର ସମାଧାନ କରିବାପାଇଁ ସୂଚନା ଦେଇଥିଲେ । ଯଦି ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନ ହୁଏ ତେବେ ଚାଷୀମାନେ ଦାବି ପୂରଣ ନହେବାପର୍ଯ୍ୟନ୍ତ ଆମରଣ ଅନଶନ କରିବା ପାଇଁ ଚେତାବନୀ ଦେଇଛନ୍ତି ।