ପାଟଣାଗଡ଼ ୨୩/୧୨- ପାଟଣାଗଡ ବନ ବିଭାଗ ବିପୁଳ ପରିମାଣର ଖଇର କାଠ ଗଣ୍ଡି ବୋଝେଇ ଏକ ପିଅକପ ଭ୍ୟାନକୁ ଜବତ କରିଥିବାବେଳେ ମଉକା ଦେଖି ଘଟଣାସ୍ଥଳରୁ କାଠମାଫିଆ ଓ ଡ଼୍ରାଇଭର ଫେରାର ମାରିଛନ୍ତି । ସୂଚନା ଅନୁଯାୟୀ ପାଢେଲ ସେକସନରେ ବିପୁଳ ପରିମାଣର ଖଇର କାଠ ବୋଝେଇ ଏକ ପିଅକପ ଭ୍ୟାନ ଦ୍ୱାରା ଅନ୍ୟଜିଲ୍ଲାକୁ ଚୋରା ଚାଲାଣ ହେଉଥିବା ଖବର ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶି ବିଶ୍ୱସ୍ତ ସୂତ୍ରରୁ ପାଇଥିଲେ । ଏହା ପରେ ରେଞ୍ଜର ଶ୍ରୀ ବିଶିଙ୍କ ନେତୃତ୍ୱରେ ଏକ ଟିମ୍ ପଦ୍ମପୁର ରାସ୍ତାରେ ଥିବା ଗୌଡପାଲି ଗାଁ ନିକଟସ୍ଥ ପେଟ୍ରୋଲ ପମ୍ପର ଅନତି ଦୂରରେ ଥିବା ଜନୈକ ବ୍ୟକ୍ତିଙ୍କ ଧାନ ଖଳା ଭିତରେ ଥିବା ଖଇର କାଠ ବୋଝେଇ ପିଅକପକୁ ଚଢ଼ଉ କରି ଜବତ କରିଥିଲେ । ଘଟଣାସ୍ଥଳରୁ ଡ଼୍ରାଇଭର ଓ ବେଆଇନ କାଠ ବ୍ୟବସାୟୀ ଫେରାର ମାରିଥିଲେ । ଏହା ପରେ ବନବିଭାଗ ଉକ୍ତ କାଠ ବୋଝେଇ ପିଅକପ ଭ୍ୟାନ ନଂ ଓଡି ୦୩ ୭୯୯ କୁ ଜବତ କରି ପାଟଣାଗଡ଼ କାର୍ଯ୍ୟାଳୟକୁ ଆଣିଥିଲା । ଉକ୍ତ ଜବତ ଖଇରକାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ଜଣାପଡିଛି । ଏହି ଚଢାଉ ସମୟରେ ପାଢେଲ ସେକସନଙ୍କ ସମେତ ଫରେଷ୍ଟର ପ୍ରିୟବ୍ରତ ନାଏକ, ପାରାଷ୍ଟାପ ବାବୁଲାଲ ସିଂ, ଉତ୍ତମ ସିଂ ,ମୋହନ ସାହୁ, ରବିନ୍ଦ୍ର ବେହେରା ପ୍ରମୁଖ ସାମିଲ ଥିଲେ ।