ନନ୍ଦାହାଣ୍ଡି : ଗରିବର ଗରିବି ଆଜି ଦେଉଛି ଅସହ୍ୟ ଯନ୍ତ୍ରଣା । ତେଣେ ହସ ଖୁସିର ସଂସାରରେ ଲଦି ହୋଇ ଯାଇଛି ଦୁଃଖର ପାହାଡ଼ । ଭାଗ୍ୟ ଯଦି ଖେଳ ଖେଳେ ତାହେଲେ ଗୁହାରି କରିବେ ବା କାହାକୁ । ନିଜ କର୍ମକୁ ନିନ୍ଦି ଭଗବାନ ଭରସାରେ ରହି ଯାଇଛନ୍ତି ପରିବାର । ଏବେ କେବଳ ଅପେକ୍ଷା ସରକାରୀ ସହାୟତାକୁ । ପ୍ରକାଶ ଯେ, ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡା ସଦର ପଂଚାୟତରେ ରୁହନ୍ତି ବିଶ୍ୱନାଥ ନନ୍ଦ । ପରିବାର କହିଲେ ସ୍ତ୍ରୀ ମାମିନୀ ମହାପାତ୍ର ଓ ୨ ଛୁଆ । ବିଶ୍ୱନାଥ ଅନ୍ୟ ପାଖରେ ମୁଲ ଲାଗୁଥିବା ବେଳେ ସ୍ତ୍ରୀ ମାମିନୀ ଘରେ କିଛି ପିଲାଙ୍କୁ ଟ୍ୟୁସନ କରି ସେଥିରୁ ଯାହା ମିଳେ ସେତିକି ରେ ପରିବାର ପେଟକୁ ଦାନାଯାଏ । ଏଭଳି ସ୍ଥିତିରେ ପରିବାର ଉପରେ ଲଦି ହୋଇଛି ଆଉ ଏକ ଯନ୍ତ୍ରଣା । ବିଶ୍ୱନାଥଙ୍କ ସାନ ପୁଅ ଚର୍ମ ରୋଗରେ ପୀଡିତ ହୋଇ ଯନ୍ତ୍ରଣା ପାଉଛି ଯାହାକୁ ଦେଖି ସହ୍ୟ କରି ପାରୁନାହାନ୍ତି ବାପା ମା । ପୁଅର ଏଭଳି ଅବସ୍ଥା ଦେଇ ରାନ୍ଧିବା ଅନ୍ନ ମଧ୍ୟ ପେଟକୁ ଯାଉନାହିଁ । ବର୍ଷେ ପୂର୍ବେ ପୁଅ ଆୟୁଷର ମୁଣ୍ଡରେ ଏକ ଘା ହୋଇଥିଲା ଆଉ ତାକୁ ସେଇ ସମୟରେ ଏକ ଘରୋଇ ମେଡିକାଲ ନେଇ ଅପରେସନ ମଧ୍ୟ କରାଇଥିଲେ । ଆଉ ଏବେ କିଛି ଦିନ ହେବ ଦେହ ସାରା କଳା ପଡିଯିବା ସହ ଗାଲରେ ମାଂସ ବଢି ଯାଇଛି । କିଏ କେତେ ପ୍ରକାର ରୋଗ ହୋଇଛି ବୋଲି କହୁଥିବା ବେଳେ ଭୁବନେଶ୍ୱର କଟକ ନେଇ ସର୍ବସ୍ୱାନ୍ତ ହୋଇ ସାରିଲେଣି । ଆଜି ପୁଣି ପୁଅ ଆୟୁଷକୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବାର ନଜରକୁ ଆସିଛି । ପୁଅର ଏଭଳି ଅବସ୍ଥା ଦେଖି ଘର କୋହ ସମ୍ଭାଳି ପାରୁ ନାହାନ୍ତି ଆଉ କାକୁତି ମିନତୀ ହୋଇ ନିବେଦନ କରୁଛନ୍ତି ସରକାର କିଛି ସାହାଯ୍ୟ କରି ତାଙ୍କ ପୁଅ ଟିକୁ ଭଲ କରି ଦିଅନ୍ତୁ । ଏନେଇ ଆମେ ମୁଖ୍ୟ ଚିକିତ୍ସାଧିକାରୀ କାଳୀ ପ୍ରସାଦ ବେହେରା ଙ୍କୁ ଯୋଗାଯୋଗ କରିଥିଲୁ । ସେ କହିଛନ୍ତି ଟେଲି ମେଡ଼ିସିନ ସହ ଯୋଗାଯୋଗ କରି ଉନ୍ନତ ଚିକିତ୍ସାର ବ୍ୟବସ୍ଥା କରାଇବେ । ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ମଧ୍ୟ ଯାହା ସମ୍ଭବ କରିବା ସହ ଶିଶୁଟି କିପରି ଶୀଘ୍ର ଆରୋଗ୍ୟ ହେବ ସେଥିପ୍ରତି ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।