ଓଡିଶା ଗ୍ରାମ୍ୟ ବ୍ୟାଙ୍କର ମେଗା ଋଣ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0 62

ଭୁବନେଶ୍ୱର: ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ରାଜ୍ୟର ୨୬,୭୨୨ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୦୦୧ କୋଟି ଟଙ୍କାର ଋଣ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ରାଜ୍ୟର ୨.୬୮ ଲକ୍ଷ ମା’ ଉପକୃତ ହେବେ । ଏକାଦିନରେ କେବଳ ମା ମାନଙ୍କ ପାଇଁ ଏତେ ବଡ ଋଣ ପ୍ରଦାନ କାର୍ଯ୍ୟକ୍ରମ ପୂର୍ବରୁ କେବେ ହୋଇନାହିଁ । ଉପସ୍ଥିତ ଥିବା ୫ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୦ ଲକ୍ଷ୍‌ ଲେଖା ଋଣ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୦ ଲକ୍ଷ ଟଙ୍କାର ଋଣ ମିଳିଥିଲା ।
ଏହି ଅବସରରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆଗେଇ ନେବା ଓ ଓଡିଶାର ରୂପାନ୍ତରରେ ଭାଗୀଦାର ହେବାପାଇଁ ବ୍ୟାଙ୍କର୍ସ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା ମାନଙ୍କୁ ସଶକ୍ତ କରିବାରେ ଓଡିଶା ଏକ ଆଗୁଆ ରାଜ୍ୟ । ଓଡିଶାର ଘରେ ଘରେ, ଗାଁ ଗାଁରେ ଆଜି ମିଶନ ଶକ୍ତି ଆଜି ତାର ଜୟଯାତ୍ରା ଜାରି ରଖିଛି ଏବଂ ଆଗାମୀ ଦିନରେ ଏହା ଆହୁରି ସଶକ୍ତ ହେବ ବୋଲି ସେ କହିଥିଲେ ।

hiring


ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜିଲ୍ଲାସ୍ତରୀୟ ଫେଡେରେସନ ମାନଙ୍କ ପାଇଁ ଏକ କୋଟି ଏବଂ ବ୍ଲକ୍ସ୍‌ତରୀୟ ଫେଡେରେସନ ପାଇଁ ୫୦ ଲକ୍ଷ ଟଙ୍କାର ରିଭଲଭିଂ ଫଣ୍ଡ କରିବା ପାଇଁ ନିଷ୍ପତି କରାଯାଇଛି । ଏହାସହିତ ମା ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।
ମିଶନ ଶକ୍ତି କାର୍ଯ୍ୟକ୍ରମରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମେକ୍‌-ଇନ୍‌-ଓଡିଶା କାର୍ଯ୍ୟକ୍ରମରେ ଏହା ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କ ଭାବେ ପୁରସ୍କାର ପାଇଛି ଏବଂ ମା ମାନଙ୍କୁ ୧୦୦୧କୋଟି ଟଙ୍କାର ଋଣ ବ୍ୟବସ୍ଥା କରିଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫ଟି ମଲ୍ଟି ପରପୋଜ୍‌ ମୋବାଇଲ୍‌ ଭ୍ୟାନ୍‌ ତଥା ଏଟିମ୍‌ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଗ୍ରାମାଂଚଳରେ ଆର୍ôଥକ ଅନ୍ତର୍ଭୁକ୍ତି କାର୍ଯ୍ୟକ୍ରମକୁ ଏହା ଆହୁରି ସୁଦୃଢ କରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।
ସୂଚନାଯୋଗ୍ୟ ଯେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଗ୍ରାମାଂଚଳରେ ବିଶେଷକରି ମହିଳାମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏଥିପାଇଁ ଗତ ୬ ବର୍ଷ ଧରି ଏହା ରାଜ୍ୟ ସରକାରଙ୍କ ଠାରୁ ଏକ୍ସିଲେନ୍ସ ଆୱାର୍ଡ ମଧ୍ୟ ପାଇଛି ।
ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଲେ ଯେ ରାଜ୍ୟରେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ହାରାହାରି ଋଣ ପରିମାଣ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ଉଦ୍ୟମ ଜାରି ରହିଛି । ଏଥିପାଇଁ ବ୍ୟାଙ୍କମାନେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଗତ କିଛି ବର୍ଷ ଧରି ଲକ୍ଷ୍ୟ ଠାରୁ ଅଧିକ ଋଣ ଉପଲବ୍‌ଧ ହୋଇପାରୁଛି ବୋଲି ସେ କହିଥିଲେ ।ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ପାଇଁ ଆଜି ମିଶନ ଶକ୍ତି ଏକ ମହାଦ୍ରୁମରେ ପରିଣତ ହୋଇପାରିଛି । ମିଶନ ଶକ୍ତିର ମା ମାନେ ଋଣ ପରିଶୋଧ କ୍ଷେତ୍ରରେ ବହୁତ ଆଗରେ ଅଛନ୍ତି ବୋଲି ସେ କହିଥିଲେ ।


କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ଶ୍ରୀମତୀ ସୁଜାତା କାର୍ତିକେୟନ କହିଲେ ଯେ ମିଶନ ଶକ୍ତି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ବିଭିନ୍ନ କ୍ଷେତ୍ରରେ ଯୋଗଦାନ ରଖି ମା ମାନେ ନିଜର ଉପସ୍ଥିତି ଓ ମର୍ଯ୍ୟଦା ଜାହିର କରିବେ । ଏ କ୍ଷେତ୍ରରେ ଆଜି ଆମେ ଅନେକ ପରିମାଣରେ ସଫଳ ହୋଇଛୁ ବୋଲି ସେ କହିଥିଲେ । ଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ କରିବାରେ ଓଡିଶା ପ୍ରଥମ ରାଜ୍ୟ । ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ମା ମାନଙ୍କୁ ୫ ବର୍ଷରେ ୫୦,୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବ ଓ ୧୨୦୦ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ ମୋହନ ଏମ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜେନେରାଲ ମ୍ୟାନେଜର ବସନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

13 − 8 =