ପୁରୀ : ଆସନ୍ତା ୨୫ରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ବଡଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରର ପାରମ୍ପରିକ ସେବାୟତମାନେ ବେଶ୍ ନିଷ୍ଠାର ସହ ଏହି ବେଶ ନିର୍ମାଣରେ ଲାଗିଛନ୍ତି । ୨୫ ତାରିଖ ବୁଧବାର ରାତିରେ ବଡସିଂହାର ବେଶରେ ମହାପ୍ରଭୁ ଦୁର୍ଲଭ ପଦ୍ମବେଶରେ ବିଭୂଷିତ ହେବେ । କିମ୍ୱଦନ୍ତୀ ଅନୁଯାୟୀ ସନ୍ଥ ମନୋହର ଦାସଙ୍କ ପାଇଁ ପ୍ରଭୁ ଭାଦ୍ରବ ଶୁକ୍ଳ ଶ୍ରୀପଞ୍ଚମୀ ପୂର୍ବରୁ ଏହି ବେଶରେ ଦର୍ଶନ ଦେଇଥିଲେ ।
ଭାଦ୍ରବ ଶୁକ୍ଳ ଶ୍ରୀପଞ୍ଚମୀ ପୂର୍ବ ଅର୍ଥାତ୍ ଆସନ୍ତା ୨୫ ତାରିଖ ବୁଧବାର ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ବଡଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିର ପାରମ୍ପରିକ ବେଶ କାରିଗର ମାନେ ହବିଷ୍ୟାନ୍ନ ଗ୍ରହଣ କରି ଅତି ନିଷ୍ଠାର ସହିତ ଏହି ବେଶ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ପଣ୍ଡୁ ପୁର୍ଣ୍ଣିମାଠାରୁ ମହାପ୍ରଭୁଙ୍କ ପାଇଁ ପଦ୍ମବେଶ ପ୍ରସ୍ତୁତ ଆରମ୍ଭ ହୋଇଛି । ସୋଲ, ଜରି, ଜମ୍ବୁରା, କଇଁଥ ଅଠା, ବାଉଁଶ, ବେତ ଓ ବିଭିନ୍ନ ପ୍ରକାରର କନା ବ୍ୟବହାର କରି ଏହି ବେଶ ତିଆରି କରାଯାଉଛି । ଏହି ବେଶ ନିର୍ମାଣ କାର୍ଯ୍ୟରେ ଦରଜି ଓ ଚିତ୍ରକର ସେବକ ମଧ୍ୟ ନିୟୋଜିତ ହୋଇଥାନ୍ତି । ଆବଶ୍ୟକ ସୋଲ ସଂଗ୍ରହ କରାଯାଇ ତାକୁ କଟାଯିବା ପରେ ପରସ୍ତ ପରସ୍ତ କରି ଯୋଡାଯାଇ ଶ୍ରୀମୁଖ ପଦ୍ମ ଆକୃତିର ପ୍ରସ୍ତୁତ କରାଯାଏ । କରପଲ୍ଲଭ, ହଂସ ଓ ଡାଳିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଶ୍ରୀମୁଖ ପଦ୍ମ ଯୋଡାଯିବା କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହୋଇଯିବ ବୋଲି କହିଛନ୍ତି ବେଶ କାରିଗର ବସନ୍ତ କୁମାର ରଣା ।
କିମ୍ୱଦନ୍ତୀ ଅନୁଯାୟୀ ଦ୍ୱାଦଶ ଶତାଦ୍ଦୀରେ ସନ୍ଥ ମନୋହର ଦାସ ଶୀତ ଦିନରେ ପୁଷ୍କରିଣୀରୁ ପଦ୍ମ ଫୁଲ ନିଜ ଗାମୁଛାରେ ସଂଗ୍ରହ କରି ମହାପ୍ରଭୁଙ୍କ ଲାଗି ପାଇଁ ଆଣିଥିଲେ । ତେବେ ସେହି ଫୁଲ ଗୁଡିକ ମଳିନ ପଡିଯାଇଥିବାରୁ ସେଠାରେ ଶ୍ରୀ ମନ୍ଦିରରେ ଥିବା ପଣ୍ଡା ମାନେ ଫୁଲକୁ ଗ୍ରହଣ ନ କରି ତାଙ୍କୁ ସେଠାରୁ ଫେରାଇ ଦେଇଥିଲେ । କିନ୍ତୁ ଲୀଳାମୟ ଠାକୁର ମହାପ୍ରଭୁ କାଳିଆ ସାଆନ୍ତଙ୍କ ଲୀଳା ହେଉଛି ଅପାର । ସେଥିପାଇଁ ତ ମହାପ୍ରଭୁ ସେହିଦିନ ରାତିରେ ହିଁ ପଦ୍ମବେଶରେ ଦର୍ଶନ ଦେଇଥିଲେ । ସେହିଦିନ ଠାରୁ ହିଁ ବଡଛତା ମଠ ପକ୍ଷରୁ ମହାପ୍ରଭୁଙ୍କ ପାଇଁ ପଦ୍ମବେଶ ଯୋଗାଇ ଆସୁଛନ୍ତି । ଅନ୍ୟପଟେ ମହାପ୍ରଭୁଙ୍କ ଏହି ଦୁର୍ଲଭ ପଦ୍ମବେଶ ଦର୍ଶନ କରିବା ପାଇଁ ଭକ୍ତ ଚାତକ ଆଖିରେ ଚାହିଁ ବସିଛନ୍ତି । ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅନନ୍ତ କୋଟି ପୁଣ୍ୟ ଫଳ ମିଳିଥାଏ ବୋଲି ଗବେଷକ ନରେଶ ଚଦ୍ର ଦାଶ କହିଛନ୍ତି ।
ପଦ୍ମବେଶ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା ୨୫ ତାରିଖ ସଂନ୍ଧ୍ୟାରେ ଏହି ବେଶ ଶ୍ରୀମନ୍ଦିରକୁ ନିଆଯିବ ।
Sign in
Sign in
Recover your password.
A password will be e-mailed to you.
Next Post