ନବରଙ୍ଗପୁର ମହାବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ପାଳନ ପରେ ସୁଖବର, ବହୁ ପ୍ରତିକ୍ଷିତ ପିଜି ଶ୍ରେଣୀ ଖୋଲିବା ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ଯୁଗ୍ମ କମିଟିର ଅନୁଧ୍ୟାନ
ନବରଙ୍ଗପୁର: ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ମାସେ ପୂରିଲା ବେଳକୁ ସୁବର୍ଣ୍ଣ ଜୟନ୍ତୀ ମଞ୍ଚରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ଗୃହମନ୍ତ୍ରୀ ଓ ରାଜ୍ୟ ପୂର୍ତ୍ତବିଭାଗ ମନ୍ତ୍ରୀ ଓ ସ୍ଥାନୀୟ ସାଂସଦ ଓ ବିଧାୟକମାନେ ଦେଇଥିବା ପ୍ରତିଶୃତି ଫଳପ୍ରଦ ହେବାର ଶୁଭାରମ୍ଭ ହେବାର ସଂକେତ ମିଳିଛି । ସୁବର୍ଣ୍ଣ ଜୟନ୍ତୀ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଓ ସ୍ନାତକୋତ୍ତର ବା ପିଜି ପାଠ୍ୟକ୍ରମ ଆରମ୍ଭ କରିବା । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ପ୍ରତିନିଧିତ୍ୱ କରି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ପ୍ରଫେସର ଗଣେଶ ସେଠୀ ଏବଂ ଉଚ୍ଚ ଶିକ୍ଷା ବିଭାଗର ଜୟପୁର ଜୋନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର୍ ତ୍ରିନାଥ ରଥଙ୍କୁ ନେଇ ଗଠିତ ଏକ ଯୁଗ୍ମ କମିଟି ନବରଙ୍ଗପୁର ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଆଗାମୀ ଦିନରେ ପିଜି ବା ସ୍ନାତକତ୍ତୋର ପାଠ୍ୟକ୍ରମ ଖୋଲିବା ପାଇଁ ଆବଶ୍ୟକ ଆନୁଷଙ୍ଗିକ ବିଧି ବ୍ୟବସ୍ଥା ଉପରେ ଆଲୋଚନା କରିବା ସହ ମହାବିଦ୍ୟାଳୟର ଭିତ୍ତିଭୂମି, ପାଠାଗାର, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ଅତିରିକ୍ତ ଯୋଗ୍ୟତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସବୁ ବିଷୟରେ ପୁଖାନୁପୁଙ୍ଖ ଆଲୋଚନା କରିଛନ୍ତି ।ମୁଖ୍ୟତଃ ମହାବିଦ୍ୟାଳୟର ଅଧୀନରେ ରହିଥିବା ସମଗ୍ର ଅଞ୍ଚଳ, ସରକାରଙ୍କ ଅନୁଦାନରୁ ତିଆରି ହୋଇଥିବା ଶ୍ରେଣୀ ଗୃହ, ପ୍ରେକ୍ଷାଳୟ, ବିଜ୍ଞାନ ପରୀକ୍ଷା ଗାର ତଥା ବିଶ୍ୱ ବ୍ୟାଙ୍କ ଅନୁଦାନରେ ନିର୍ମାଣାଧୀନ ବଡ଼ ବଡ଼ ଶ୍ରେଣୀଗୃହ, ପରୀକ୍ଷାଗାର ଓ ମହିଳା ହଷ୍ଟେଲ ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ଏତତ ସହିତ ମାନ୍ୟବର ବିଧାୟକଙ୍କ ପାଣ୍ଠିରୁ ନିର୍ମିତ ସୀମା ପ୍ରାଚେରୀ, ଖେଳ ପଡିଆ ଗାଲେରୀ ଓ ମାନ୍ୟବର ରାଜ୍ୟସଭା ସାଂସଦଙ୍କ ପାଣ୍ଠିରୁ ସଦ୍ୟ ନିର୍ମିତ ସ୍ୱର୍ଣ୍ଣ ମଞ୍ଚ ତଥା ଜିଲ୍ଲା ଓ ବ୍ଲକ ପ୍ରଶାସନଙ୍କ ତତ୍ତ୍ୱାବଧାନରେ ଚାଲିଥିବା ଉନ୍ନତି ମୂଳକ କାର୍ଯ୍ୟ ସବୁ ଦେଖି ଅଭିଭୂତ ହୋଇଥିଲେ । ପରିଦର୍ଶନର ଦ୍ୱିତୀୟ ପର୍ଯ୍ୟାୟରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ସହ ଏକ ବୈଠକରେ ବାର୍ତ୍ତା ବିନିମୟ କରିଥିଲେ । ମେଧାବୀ ଛାତ୍ର ସମାଜ ପାଈଁ ଉଚ୍ଚ ମେଧା ସମ୍ପନ୍ନ ଗୁରୁ ସମାଜର ଆବଶ୍ୟକତା ଉପରେ ଜୋର ଦେଇ ଯୁବ ଅଧ୍ୟାପକ ଅଧ୍ୟାପିକାଙ୍କୁ ଅଧିକ ସଂଖ୍ୟାରେ ପିଏଚଡି କରିବା ସହ ଆଗାମୀ ଦିନରେ ଅଧ୍ୟାପକ ଓ ଅଧ୍ୟାପିକାଙ୍କର ଦକ୍ଷତା ବିକାଶ ନିମନ୍ତେ ବିଶ୍ୱବିଦ୍ୟାଳୟ ତରଫରୁ ସମସ୍ତ ପ୍ରକାର ସହଯୋଗ ଦିଆଯିବ ବୋଲି ପ୍ରଫେସର୍ ଗଣେଶ ସେଠୀ ପ୍ରତିଶ୍ରୁତି ଦେଇଥିଲେ । ଠିକ୍ ସେହିପରି ଉଚ୍ଚ ଶିକ୍ଷା ତରଫରୁ ଆନୁଷଙ୍ଗିକ ପ୍ରଶାସନିକ ସହଯୋଗ ପାଇଁ ଆଞ୍ଚଳିକ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସର୍ବଦା ପ୍ରସ୍ତୁତ ବୋଲି ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ତ୍ରିନାଥ ରଥ ପ୍ରକାଶ କରିଥିଲେ । ଦିନତମାମର କାର୍ଯ୍ୟକ୍ରମ ସବୁରୁ ପରିଦର୍ଶକ ମାନଙ୍କର ସକାରାତ୍ମକ ଭାବନା ସ୍ପଷ୍ଟ ଅନୁମିତ ହୋଇଥିଲା । । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଭାସ୍କରନାଥ ବିଶ୍ୱାଳ ମହାବିଦ୍ୟାଳୟର ପାର୍ଥିବ ଓ ଗୁଣାତ୍ମକ ସମସ୍ତ ବିଷୟରେ ଆବଶ୍ୟକୀୟ ତଥ୍ୟ ପ୍ରଦାନ ସହ ପ୍ରତିନିଧି ଦଳ ସଦସ୍ୟଙ୍କୁ ସମସ୍ତ କଥା ବୁଝାଇଥିଲେ ।
ଏଠାରେ ପ୍ରକାଶ ଉପଯୋଗୀ ଯେ ସଦ୍ୟ ପାଳିତ ହୋଇଥିବା ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ ପୂର୍ବତନ ଛାତ୍ର ଛାତ୍ରୀ, ଅଭିଭାବକ, ବୁଦ୍ଧିଜିବୀଙ୍କ ପାଖରୁ ମହାବିଦ୍ୟାଳୟ କୁ ସରକାର ହାତକୁ ନେବା, ସ୍ୱୟଂଶାସିତ ମହାବିଦ୍ୟାକୟ ମାନ୍ୟତା, ପିଜି ଶ୍ରେଣୀ ଖୋଲିବା, ଭାଷା, ସାହିତ୍ୟ, କଳା, ସଂସ୍କୃତିର ଉଚ୍ଚତର ଗବେଷଣା ପାଇଁ ଆନୁସଙ୍ଗିକ ଭିତ୍ତିଭୂମି ଓ ସୁବିଧା ସୁଯୋଗ ଯୋଗେଇଦେବା ପାଇଁ ଦାବି ହୋଇଥିଲା ।
ଯାହାବି ହେଉ ନବରଙ୍ଗପୁର ଭଳି ଗୋଟାଏ ଉପାନ୍ତ ଅଞ୍ଚଳ ରେ ଦୀର୍ଘ ୫୨ ବର୍ଷର ପ୍ରତିଷ୍ଠିତ ସର୍ବ ପୁରାତନ ମହାବିଦ୍ୟାଳୟ ଉଚ୍ଚଶିକ୍ଷାର ବତିଖୁଣ୍ଟ ସ୍ୱରୂପ ସମାଜରେ ଅନେକ ଉଚ୍ଚ ଡିଗ୍ରୀଧାରୀ ବ୍ୟକ୍ତି ବିଶେଷଙ୍କୁ ସୃଷ୍ଟି କରିଛି । ଏହି ସମୟରେ କିଛି ବିଷୟ ଉପରେ ସ୍ନାତକୋତ୍ତର ଶ୍ରେଣୀ ଖୋଲିବା ପାଇଁ ପ୍ରୟାସ ହେଉଛି, ତାହା ନିଷ୍ଟିତ ଭାବେ ଆଗ୍ରହୀ ଛାତ୍ର ଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ଶୁଭଙ୍କର ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।