୪୨ ବର୍ଷ ପରେ ହସ୍ପିଟାଲରେ ବାପା-ପୁଅ ଭେଟ, ବାର୍ଦ୍ଧକ୍ୟ ବେଳେ ମନେ ପଡିଲା ପୁଅ-ଝିଅଙ୍କ କଥା

0 91

ପୁରୀ : ପୁଅକୁ ମାତ୍ର ୮ ବର୍ଷ ହୋଇଥିବା ବେଳେ ଘର ଛାଡି ବାପା ଚାଲି ଆସିଥିଲେ । ଯାଜପୁରରୁ ପୁରୀ ଆସି ଏକ ମଠରେ ମହନ୍ତ ହୋଇ ରହିଥିଲେ । ବାର୍ଦ୍ଧକ୍ୟରେ ଯେତେବେଳେ ରୋଗ ଶଯ୍ୟାରେ ପଡିଲେ, ସେତେବେଳେ ପରିବାର କଥା ମନେପଡିଲା । ଏହାରି ଭିତରେ ଦୀର୍ଘ ୪୨ ବର୍ଷ ବିତିଯାଇଥିବା ବେଳେ ପତ୍ନୀ ଓ ପିଲାମାନଙ୍କ କଥା ମନେପଡିଛି । ଆମେ କହୁଛୁ ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧିନ ମକୁନ୍ଦପୁର ନିକଟସ୍ଥ ବଣ୍ଟଘାଟି ଗ୍ରାମର ୮୮ ବର୍ଷୀୟ ଧନେଶ୍ୱର ଦାସଙ୍କ କଥା । ଧନେଶ୍ୱର ଏବେ ପୁରୀରେ ମହନ୍ତ ଧରଣୀଧର ଦାସ ନାମରେ ବେଶ୍‌ ପରିଚିତ । ବୟସାଧିକ କାରଣରୁ କିଛିଦିନ ତଳେ ସେ ରୋଗାକ୍ରାନ୍ତ ହୋଇ ୧୫ ଦିନ ହେବ ଖାଦ୍ୟପେୟ ଛାଡିଦେଲେ । ଦେହ ଅସୁସ୍ଥ କାରଣରୁ ଗତ ଶନିବାର ତାଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଶିଷ୍ୟକୁ ସେ ଘର ଠିକଣା ଦେଇଥିଲେ । ଏନେଇ ଜେନାପୁର ଥାନା ଅଧିକାରୀଙ୍କ ସହ ଯୋଗାଯୋଗ ପରେ ଥାନା ଅଧିକାରୀ ଧନେଶ୍ୱରଙ୍କ ପୁଅକୁ ପୁରୀ ଯିବା ପାଇଁ କହିଥିଲେ । ଧନେଶ୍ୱରଙ୍କ ପୁଅ ବାବାଜୀ ଏତେ ବର୍ଷ ପରେ ବାପାଙ୍କୁ ଦେଖିବା ପରେ କେମିତି ଚିହ୍ନିବେ ସେନେଇ ଚିନ୍ତାରେ ପଡ଼ି ଯାଇଥିଲେ । ତେଣୁ ପୁରୀ ଆସିବା ବେଳେ ବାପାଙ୍କ ସାଙ୍ଗକୁ ସାଙ୍ଗରେ ଆଣି ଆସିଥିଲେ ବାବାଜୀ । ତେବେ ପୁରୀ ହସ୍ପିଟାଲରେ ପହଞ୍ଚିବା ପରେ ଧନେଶ୍ୱରଙ୍କ ସାଙ୍ଗ ଓ ପୁଅ ତାଙ୍କୁ ଦେଖି ଅବାକ୍‌ ହୋଇଯାଇଥିଲେ । ହସ୍ପିଟାଲ ୱର୍ଡରେ ଏକ ଭାବ ବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ୪୨ ବର୍ଷ ପରେ ଧନେଶ୍ୱର ତାଙ୍କ ପୁଅକୁ ପାଖରେ ପାଇ କାନ୍ଦି ପକାଇଥିଲେ । ସେହିପରି ସ୍ତ୍ରୀ ଓ ଚାରି ଝିଅଙ୍କ କଥା ମଧ୍ୟ ପୁଅ ବାବାଜୀକୁ ପଚାରିଥିଲେ ଧନେଶ୍ୱର । ହେଲେ ତୁମକୁ ଝୁରି ଝୁରି ୭ ବର୍ଷ ତଳୁ ମା ଆରପାରିକୁ ଚାଲିଯାଇଥିବା ବେଳେ ଜଣେ ଭଉଣୀଙ୍କର ମଧ୍ୟ ମୃତ୍ୟୁ ହୋଇ ସାରିଥିବା ବାବାଜୀ ତାଙ୍କ ବାପାଙ୍କୁ କହିଥିଲେ । ଏହାଶୁଣି ଧନେଶ୍ୱର ନିଜ ମୁଣ୍ଡରେ ହାତପିଟି କାନ୍ଦିଥିଲେ । ତେବେ ଗତକାଲି ଅପରାହ୍ନରେ ଧନେଶ୍ୱର ମେଡିକାଲରୁ ଡିସଚାର୍ଜ ହୋଇଥିବା ବେଳେ ସନ୍ୟାସି ହୋଇଥିବାରୁ ଘରକୁ ଯିବାକୁ ମନା କରିଦେଇଛନ୍ତି ।

hiring

hiranchal ad1
Leave A Reply

Your email address will not be published.

16 + 10 =