ଶାନ୍ତି ଶୋଭାଯାତ୍ରା ଓ ଶାନ୍ତି ଯଜ୍ଞ, ନୂଆ ଢଙ୍ଗରେ ପ୍ରତିବାଦ

0 141

ବଲାଙ୍ଗୀର : ଅଶାନ୍ତ ସହରରେ ଶାନ୍ତି ପାଇଁ ଜିଲ୍ଲା ପୋଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଥିଲା । କୋଶଲ କଳାମଣ୍ଡପ ପଡିଆରୁ ଶୋଭାଯାତ୍ରା ଏସପି ଅଫିସ ପହଞ୍ଚିଥିଲେ । ଅଫିସ ଆଗରେ ଯଜ୍ଞ କରି ନୂଆ ଢଙ୍ଗରେ ପ୍ରତିବାଦ କରିଥିଲେ । ଏକ ୭ଦଫାର ଦାବିପତ୍ର ଜିଲ୍ଲା ମୁଖ୍ୟ ଆରକ୍ଷି ଅଧିକ୍ଷକଙ୍କୁ ଦେବା ସହିତ ଏକ ପ୍ରତିନିଧିଦଳ ଆଲୋଚନା କରିଥିଲେ । ବଲାଙ୍ଗୀର ସ୍ୱେଚ୍ଛାସେବୀ ସଙ୍ଗଠନର ସଭାପତି ସନ୍ତୋଷ ପଟ୍ଟନାୟକ ଓ ସଂପାଦକ ଗୋବିନ୍ଦ ଶତପଥୀଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନାଗରିକ କମିଟୀ ସଂପାଦକ ମନୋରଞ୍ଜନ ସାହୁ, ବଲାଙ୍ଗୀର ୟୁଥ୍‌ ଏକ୍ସନ କମିଟୀ ସଭାପତି ବିନୋଦ କାଲସାଏ , ନାରୀଶକ୍ତି ଫାଉଣ୍ଡେସନର ନୂତନ ଦାସ, ମମତା ଜେନା, ସ୍ମାଇଲ୍‌ ଫର ଅଲର ସଞ୍ଜିବ ସାହୁ , ବିଜେଡି ନଗର ସଭାପତି ତଥା କାଉନସିଲର ଶମ୍ଭୁ ନାଗ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା, କଂଗ୍ରେସ ନେତା ଅଜୟ ବାଲି, ନାଶିର ଖାନ, ଅମିତ ନାୟକ, ଗୋ ସୁରକ୍ଷା କମିଟିର କାହ୍ନା ଶତପଥି, ପଶ୍ଚିମା ଓଡ଼ିଶା ଯୁବା ମଞ୍ଚ, ସ୍ୱାଭିମାନ ପରିବାର, ଯୁବ ପ୍ରତାପୀ ସେନା, କୋସଲ ମୁକ୍ତିମୋର୍ଚ୍ଚା, ଅଟୋ ଚାଳକ ସଂଘ ଓ ଶ୍ରମିକ ସଂଘର କର୍ମକର୍ତ୍ତା ଯୋଗଦାନ କରିଥିଲେ । ଏ ଅବସରରେ ବିଗୁଡିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଉଦବେଗ ପ୍ରକାଶ କରି ଦୃଢ ପଦକ୍ଷେପ ଦାବୀ କରିଥିଲେ । ସୂଚାଇ ଦିଆଯାଏ ଯେ, ଗତ କିଛି ମାସ ଧରି ଅପରାଧିକ କାର୍ଯ୍ୟକଳାପ ବଢିଛି । ଛୋଟ ଛୋଟ କଥାରେ ଖଣ୍ଡା ବୁଲୁଛି । ଏପରିକି ବନ୍ଧୁକ ଫୁଟିଛି । ଚୋରି ଡକାୟତ ଓ ଅବାଧ ନିଶା କାରବାର ଯୋଗୁଁ ଶାନ୍ତିର ସହର ଅଶାନ୍ତ ହେଉଛି । ଅପରାଧିକ ଗୋଷ୍ଠୀ କାୟା ବିସ୍ତାର କରିବା ସହ ଗୋଷ୍ଠୀ ସଂଘର୍ଷ ହେତୁ ଜନ ସାଧାରଣଙ୍କ ଶାନ୍ତି ବ୍ୟାହତ ହୋଇଛି । ଜଣେ ଠିକାଦାରଙ୍କ ଘରେ ପଶି ହାଣିବା, ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ହଷ୍ଟେଲକୁ ପଶି ଛାତ୍ରଙ୍କୁ ଆକ୍ରମଣ ଓ ଜଣେ ପାନ ଦୋକାନୀଙ୍କୁ ଦିନରେ ଆକ୍ରମଣ ଇତ୍ୟାଦି ଲାଗ ଲାଗ ଘଟଣା ଯୋଗୁଁ ସମସ୍ତଙ୍କ ମୁହଁରେ ଆଇନ ଶୃଙ୍ଖଳା ଚର୍ଚ୍ଚିତ ବିଷୟ । ସେହିପରି ଅପରାଧ ନିୟନ୍ତ୍ରଣରେ ପୋଲିସ ଆଡକୁ ଆଙ୍ଗୁଳି ଉଠୁଛି । ପୂର୍ବରୁ ସମୀକ୍ଷା ବୈଠକରେ ବିଧାୟକ ଉଦବେଗ ପ୍ରକାଶ କରିଥିବା ବେଳେ ପୌରାଧକ୍ଷା ଏସପିଙ୍କୁ ସାକ୍ଷାତ କରି ଅପରାଧ ନିୟନ୍ତ୍ରଣ ପାଇଁ କଠୋର ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଅର୍ଥାତ୍‌ ନେତା ଜନତା ସମସ୍ତେ ପରିସ୍ଥିତି ଅଣ ଆୟତ୍ତ ହେଉଥିବା ହୃଦବୋଧ କରିଛନ୍ତି । କିନ୍ତୁ ଆଜି ଆଲୋଚନା ବେଳେ ଜିଲ୍ଲା ପୋଲିସ ମୁଖ୍ୟଙ୍କ ଆଭିମୁଖ୍ୟ ନେଇ ଆସନ୍ତୋଷ ପ୍ରକାଶ ପାଇଛି । ଅପରାଧ ଦମନରେ ବିଫଳ ପୋଲିସ କୁଆଡେ ସ୍ୱେଚ୍ଛାସେବୀ ପ୍ରତିନିଧି ଦଳର ସ୍ୱର ଚାପିବା ଉଦ୍ୟମ କରିଥିଲେ । ଅପରାଧିଙ୍କୁ ଛଡାଇବା ପାଇଁ ସ୍ୱେଚ୍ଛାସେବୀ ଆସିଥିବା କହିଥିଲେ । ସେହିପରି ପ୍ରତ୍ୟେକ ଘଟଣାରେ ସଂପୃକ୍ତ ଅପରାଧିକଙ୍କୁ ପୋଲିସ ଧରୁଛି । କୋର୍ଟ ଚାଲାଣ କରୁଛି କିନ୍ତୁ କୋର୍ଟ ରୁ ଜାମିନ୍‌ ପାଇ ବା ମୁକୁଳିଲେ ପୋଲିସ କଣ କରିବ ବୋଲି କହିଥିଲେ । ଯଦି ପୋଲିସ୍‌ କର୍ତ୍ତବ୍ୟ କରୁଛି କିନ୍ତୁ ଅପରାଧି ନିୟନ୍ତ୍ରଣରେ ନାହଁନ୍ତି । ତେବେ ଅଶାନ୍ତ ସହରରେ ଶାନ୍ତି ଲେଉଟିବ କେମିତି ? ତା’ହେଲେ ଶାନ୍ତି ମୈତ୍ରୀର ସହର ଭାବେ ପରିଚିତ ବଲାଙ୍ଗୀର ପୁରୁଣା ପରିଚୟ ହରାଇବ କି ? ରୋକ ଲଗାଇବ କିଏ ଓ କିପରି,ବଡ ପ୍ରଶ୍ନ ।

hiranchal ad1
Leave A Reply

Your email address will not be published.

17 − twelve =