ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ

0 87

ପୁରୀ : ଆଜି ପୁରୀ ଶ୍ରୀଲୋକନାଥ ଦେବଙ୍କ ପୀଠରେ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହୋଇଛି । ନିତିନିର୍ଘଣ୍ଟ ଅନୁସାରେ ଗତକାଲି ମଧ୍ୟରାତ୍ରରୁ ମହାପ୍ରଭୁଙ୍କ ନିକଟରେ ଦ୍ୱାରଫିଟା ନିତି ସହ ଅନ୍ୟାନ୍ୟ ନିତି ବଢିଥିଲା । ଗମ୍ଭୀରାରେ ବର୍ଷ ତମାମ ଫୁଲ, ବେଲପତ୍ର, ଛାଚି, କ୍ଷୀର, କଦଳୀ ଆଦି ପଞ୍ଚାମୃତ ପଡି ପଙ୍କ ସଦୃଶ ସୃଷ୍ଟି ହୋଇଥାଏ । ପ୍ରଭୁ ଶ୍ରୀଲୋକନାଥ ପଞ୍ଚାମୃତରେ ବୁଡିକି ରହିଥିବା ବେଳେ ଆଜିର ତିଥିରେ ଗମ୍ଭୀରା ମଧ୍ୟରୁ ଭକ୍ତ ଓ ସେବକ ମାନେ ମିଶି ପଙ୍କୋଦ୍ଧାର କରିବା ପରେ ଭକ୍ତମାନେ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଦର୍ଶନ କରିଛନ୍ତି । ଭକ୍ତମାନେ ନିଜର ଯାହା ମନସ୍କାମନା ରହିଥାଏ ପଙ୍କୋଦ୍ଧାର ପରେ ମହାପ୍ରଭୁଙ୍କ ଦର୍ଶନ କରି ଗୁହାରୀ କରିଥାନ୍ତି । ପୁଣି ମହାପ୍ରଭୁ ପଞ୍ଚାମୃତରେ ବୁଡିଯାଇଥାନ୍ତି । ତେବେ ଶ୍ରୀଲୋକନାଥ ପିଠରେ ଜାଗର ଯାତ୍ରା ପଙ୍କୋଦ୍ଧାର ଏକାଦଶୀ ଠାରୁ ପାଳନ କରାଯାଇଥାଏ ଯାହା ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ । ତେବେ ଭାରତବର୍ଷର ଅନ୍ୟ କୌଣସି ଶୈବପୀଠ କିମ୍ୱା ମନ୍ଦିରରେ ପଙ୍କୋଦ୍ଧାର ସ୍ୱତନ୍ତ୍ର ରୀତି ନୀତି ନାହିଁ । ଶ୍ରୀଲୋକନାଥ ହେଉଛନ୍ତି ମହାପ୍ରଭୁଙ୍କ ରତ୍ନଭଣ୍ଡାରର ରକ୍ଷକ । ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଶ୍ରୀଲୋକନାଥ ମନ୍ଦିରରେ ମହାଶିବରାତ୍ରିର ଗୋଟିଏ ଦିନ ପୂର୍ବରୁ ପଙ୍କୋଦ୍ଧାରର ସ୍ୱତନ୍ତ୍ର ନୀତି କରାଯାଇଥାଏ ।
ଭକ୍ତମାନେ ଲୋକନାଥ ମନ୍ଦିରର ଗମ୍ଭୀରା ଭିତରକୁ ଯାଇ ପ୍ରଭୁଙ୍କର ଦିବ୍ୟ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ତେବେ ପଙ୍କୋଦ୍ଧାର ଓ ଜାଗର ଅବସରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥାରେ ସାମିଲ ହେବାକୁ ଚାହୁଁଥିବା ଭକ୍ତ ମାନଙ୍କ ପାଇଁ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଛି । ସେପଟେ କିମ୍ବଦନ୍ତୀ ଅନୁସାରେ ଶ୍ରୀଲୋକନାଥ ଦେବ ମନ୍ଦିର ତ୍ରେତୟା ଯୁଗରେ ଶ୍ରୀରାମଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ଯୁଗଯୁଗ ଧରି ଭକ୍ତମାନେ ଶ୍ରୀଲୋକନାଥଙ୍କ ପିଠକୁ ଆସିଥାନ୍ତି । ନିଜର ମାନସିକ ପାଇଁ ଅଧିଆ ପଡନ୍ତି । ଆଉ ବିଶ୍ୱାସ ରହିଛି ଭକ୍ତ ମାନଙ୍କର ମାନସିକ ପୂରଣ ହୋଇଥାଏ । ଏଠାରେ ଚୁଡାଘଷା ଭୋଗ ଲାଗି ହେବାର ପରମ୍ପରା ରହିଛି । ସେପଟେ ସମାଜ କଲ୍ୟାଣ ପାଇଁ ଆଜିଠାରୁ ତିନିଦିନ ଧରି ପାର୍ବତୀ ପୁଷ୍କରିଣୀ କୂଳରେ ମହାଦୀପ ଜଳିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପଙ୍କୋଦ୍ଧାର ଏକାଦଶୀରେ ହଜାର ହଜାର ଭକ୍ତଙ୍କ ସମାଗମ ଦୃଷ୍ଟିରୁ ପୁରୀ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଦୁଇଜଣ ଅତିରିକ୍ତ ଏସପି, ୬ଜଣ ଡିଏସପି ମନ୍ଦିର ପରିସର ଓ ବାହାରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିବା ବେଳେ ୮ଜଣ ଇନିସପେକ୍ଟର ଓ ୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।
ସେପଟେ ଆସନ୍ତା ୧୮ ତାରିଖ ଶନିବାର ଜାଗର ଯାତ୍ରା ଅବସରରେ ରାତ୍ର ୧୨.୩୦ରୁ ଦ୍ୱାର ଫିଟା ସହ ପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବ । ତା ପରେ ଭୋର ୪ ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଏହି ଦର୍ଶନ ବ୍ୟବସ୍ଥା ବୁଧବାର ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଚାଲିବା ପରେ ଭୋର ୪ ଟାରେ ମହାଦୀପ ଉଠିବ ।

hiring

hiranchal ad1
Leave A Reply

Your email address will not be published.

13 + six =