ବୌଦ୍ଧ/ଜହ୍ନ ।ପଙ୍କ,୨୧/୨:- ବୌଦ୍ଧ ଜିଲ୍ଲା ବାଉଁଶୁଣୀ ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ବୌଦ୍ଧ-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବାଉଁଶୁଣୀ ଛକଠାରେ ମଙ୍ଗଳବାର ରାସ୍ତାରେ ଧାନ ବସ୍ତାରଖି ଅବରୋଧ କଲେ ଶତାଧିକ ଚାଷୀ । ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡିରହିଛି । ଯାହାଫଳରେ ଶୀତ କାକରରେ ରାତିରେ ଧାନ ଜଗୁଛି ଚାଷୀ । ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଧାନ ମଣ୍ଡିରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ମିଲରର ମନମାନି ଯୋଗୁଁ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଲି ସେତିକି ନୁହେଁ କୁଇଣ୍ଟାଲ ପିଛା ୩ରୁ ୫ କେଜି ପର୍ଯ୍ୟନ୍ତ କଟନୀ ଛଟନୀ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି । ପ୍ରାୟ ୩୦ଖଣ୍ଡ ଗ୍ରାମର ଚାଷୀମାନେ ଏହି ମଣ୍ଡିରେ ଧାନ ଦେଇଥାନ୍ତି । ଚଳିତମାସ ୨ତାରିଖରୁ ଆଜିପର୍ଯ୍ୟନ୍ତ ମଣ୍ଡିରେ ଧାନ ପଡିରହିଛି ଯାହାଫଳରେ ମଣ୍ଡିକୁ ମିଲର ଗାଡି ନ ପଠାଇବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଧାର କରଜ କରି ଚାଷ କରିଥିଲେ ହେଲେ ମିଲରର ମନମାନି ଯୋଗୁଁ କ୍ଷତି ସହୁଛି ଚାଷୀ । ତୁରନ୍ତ ଏହାର ସମାଧାନ ନକରିବା ଯାଏ ରାସ୍ତା ଅବରୋଧରୁ ହଟିବୁ ନାହିଁ ବୋଲି ଚାଷୀ ଅଡ଼ି ବସିଥିଲେ । ଏହି ରାସ୍ତା ଅବରୋଧ ଅପରାହ୍ନ ୩ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ହୋଇଥିଲା । ଦୀର୍ଘ ୩ ଘଣ୍ଟା ଏହି ଅବରୋଧ ଯୋଗୁଁ ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ମୋଟର ଅଟକି ରହିଥିଲା । ଘଟଣା ସ୍ଥଳରେ ବାଉଁଶୁଣୀ ପୋଲିସ ପହଞ୍ଚି ଚାଷୀଙ୍କୁ ବୁଝା ଶୁଝା କରିଥିଲେ ମଧ୍ୟ ଜିଲ୍ଲା ଯୋଗାଣ ଅଧିକାରୀ କିମ୍ବା ଜିଲ୍ଲାପାଳ ନଆସିବା ପର୍ଯ୍ୟନ୍ତ ଆମେ ରାସ୍ତା ରୋକ ଚାଲିଥିବ ବୋଲି ଚାଷୀ କହିଥିଲେ । ବାଉଁଶୁଣୀ ଥାନା ଅଧିକାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ଯୋଗାଣ ନିରୀକ୍ଷକ ବିପିନ ବିହାରୀ ମହାପାତ୍ର ଚାଷୀଙ୍କ ସହିତ ବୁଝାମଣା କରି ଧାନ ଉଠିବା ପାଇଁ ଲିଖିତ ପ୍ରତିଶୃତି ଦେବାରୁ ଧାରଣାରୁ ଉଠିଥିଲେ । ଏହି ରାସ୍ତା ଅବରୋଧରେ ଅଞ୍ଚଳର ଶତାଧିକ ଚାଷୀ ସାମିଲ ହୋଇଥିଲେ ।