ବଜେଟରୁ ନିରାଶ, ଦିବାରାତ୍ରୀ ଆନ୍ଦୋଳନ କରିବେ ଅଙ୍ଗନବାଡ଼ି, ଆଶାକର୍ମୀ ଓ ଶ୍ରମଜୀବୀ

0 242

ସମ୍ବଲପୁର: ଚଳିତ ବଜେଟରୁ ନିରାଶ ହୋଇଥିବା ଅଙ୍ଗନବାଡ଼ି, ଆଶାକର୍ମୀ ଓ ଶ୍ରମଜୀବୀ ଆଗାମୀ ମାର୍ଚ୍ଚ ୧୩ ତାରିଖରୁ ଦିବାରାତ୍ରି ଧାରଣା ଆନ୍ଦୋଳନ ସକାଶେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ବଜେଟରେ ଅଙ୍ଗନବାଡି କର୍ମୀ, ଅଶା କର୍ମୀ ତଥା ସାଧାରଣ ଶ୍ରମିକଙ୍କ ଭତ୍ତାବୃଦ୍ଧି, ସାମାଜିକ ନିରାପତ୍ତା ବାବଦରେ ବ୍ୟୟ ବରାଦକୁ ଗୁରୁତ୍ୱ ଦିଆଯାଇନାହିଁ, ଏଣୁ ତାଙ୍କୁ ନିରାଶ କରିଛି । ସରକାର ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ବର୍ଗଙ୍କୁ ଖୁସି କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯିଏ ତଳସ୍ତରରେ ସାଧାରଣ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରି ଆସୁଛନ୍ତି ସେହି ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ଅଣଦେଖା କରିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ସହିତ ପଶ୍ଚିମ ଓଡ଼ିଶା ଅଶା କର୍ମୀ ସଂଘ ପକ୍ଷରୁ କୁହାଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ସକାଶେ ୩୬୭୦ କୋଟି ବ୍ୟୟ ବରାଦ ହୋଇଛି, ଯେଉଁ ୧୨ ପ୍ରତିଶତ ଅଧିକ କରାଯାଇଥିବା କଥା କୁହାଯାଉଛି ସେଥିରେ ମମତା ଯୋଜନା, ପୁଷ୍ଟି ଯୋଜନାରେ ଅଧିକ ଅର୍ଥ ରଖାଯାଇଛି । ତୃଣମୂଳ ସ୍ତରରେ ସରକାରଙ୍କ ବିଭିନ୍ନ୍‌ ଯୋଜନା ସୂଚାରୁ ରୂପେ ସମ୍ପାଦନା କରିଆସୁଥିବା ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ଅତ୍ୟନ୍ତ ନଗଣ୍ୟ । ବର୍ତ୍ତମାନ ବଜାର ଦର ହୁ ହୁ ହୋଇ ବଢି ଚାଲିଛି, ସ୍ୱଳ୍ପ ଭତ୍ତାରେ ପରିବାର ଚଳିବା କଷ୍ଟ ହୋଇପଡୁଛି । ଭତ୍ତା ବୃଦ୍ଧି ନିହାତି ଜରୁରୀ ବୋଲି ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ କେନ୍ଦ୍ରୀୟ ସଭାନେତ୍ରୀ ମୀରାବତୀ ଦଳବେହେରା, ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀ, ସମ୍ବଲପୁର ଜିଲ୍ଲା ସଭାନେତ୍ରୀ ଦିଶିଲା ଧୁରୁଆ, ସମ୍ପାଦକ ପ୍ରମିଳା ସିଂହ, ବରଗଡ ଜିଲ୍ଲା ସଭାନେତ୍ରୀ ରୁକ୍ମିଣୀ ଜୁଆଡି, ସମ୍ପାଦକ ନଇତଆମ୍ବିନୀ ଦାଶ, ବଲାଙ୍ଗୀର ଜିଲ୍ଲା ସଭାନେତ୍ରୀ ମମତା ଶତପଥି, ସମ୍ପାଦକ ଗୌରୀ ଷଡଙ୍ଗୀ, ଝାରସୁଗୁଡ଼ା ଜିଲ୍ଲା ସଭାନେତ୍ରୀ ରୁବୀ ଷଡଙ୍ଗୀ, ସମ୍ପାଦକ ମହିମା ସାହୁ, ଉପଦେଷ୍ଟା ନଳିନୀ ନାୟକ, ସୋନପୁର ଜିଲ୍ଲା ସଭାନେତ୍ରୀ ଲିଲି ମିଶ୍ର, ସମ୍ପାଦକ ଶାନ୍ତିଲତା ଜଗଦଲା, ବୌଦ୍ଧ ଜିଲ୍ଲା ସଭାନେତ୍ରୀ କ୍ଷିତିସୁତା ମିଶ୍ର, ସମ୍ପାଦକ ସୁରଭି ସାହୁ, ଦେବଗଡ ଜିଲ୍ଲା ସଭାନେତ୍ରୀ ଗୀତାଞ୍ଜଳି ବେହେରା, ସମ୍ପାଦକ ଦୀପାଞ୍ଜଳୀ ପ୍ରଧାନ, କଳାହାଣ୍ଡି ଜିଲ୍ଲା ରେବତୀ କୁମ୍ଭାର, ନୂଆପଡା ସୁଷମା ଭୋଇ ପ୍ରମୁଖ ନାରୀନେତ୍ରୀ ଦାବି କରିଛନ୍ତି । ଗରମ ରନ୍ଧା ଖାଦ୍ୟର ଧାର୍ଯ୍ୟ ଦର ସଂଶୋଧନ ହୋଇ ବୃଦ୍ଧି କରିବା, ଅଣ୍ଡା କମ ଟଙ୍କାରେ ଯୋଗାଇବା ସମ୍ଭବ ନୁହେଁ । ଶ୍ରମ ସମ୍ମିଳନୀରେ ନିଷ୍ପତ୍ତି ଅନୁସାରେ ୨୬ ହଜାର ଟଙ୍କା ଦରମା, ୧୦ ହଜାର ଟଙ୍କା ପେନସନ୍‌, ଅବସର ବୟସ ୬୫ ବର୍ଷ, ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି, ମିନିଙ୍କୁ ଅଙ୍ଗନବାଡି କର୍ମୀ ପ୍ରଭୁତି ମୁଖ୍ୟ ପ୍ରସଙ୍ଗକୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଏଡ଼ାଇ ଦେଉଥିବାରୁ ଉପରୋକ୍ତ କର୍ମକର୍ତ୍ତା କ୍ଷୋଭ ପ୍ରକାଶ କରିଛନ୍ତି । ଦଳମତ ବିଚାର ଉର୍ଦ୍ଧ୍ୱରେ ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ଭଉଣୀମାନେ ଏକତ୍ରିତ ହୋଇ ମାର୍ଚ୍ଚ ଦ୍ୱିତୀୟ ସପ୍ତାହର ୧୩ରୁ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ଦିବାରାତ୍ରି ଆନ୍ଦୋଳନ ଧାରଣା ଦିଆଯିବ ବୋଲି ପଶ୍ଚିମଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ସହିତ ଅଲ ଓଡିଶା ଅଙ୍ଗନବାଡି କର୍ମୀ ସଂଘ ସଂଯୁକ୍ତ ମୋର୍ଚ୍ଚା ନେତୃତ୍ୱରେ ୫ ଗୋଟି ସଂଘ ମିଳିତ ଲଢେଇରେ ସାମିଲ୍‌ ହେବେ ବୋଲି ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × two =