୨୬ ଲକ୍ଷ ଟଙ୍କା ମୂଲ୍ୟର ଡିଜେଲ ଚୋରିର ପର୍ଦ୍ଦାଫାଶ, କାର ଓ ଟ୍ୟାଙ୍କର ସହ ୭ ଜଣ ଗିରଫ

0 184

ସମ୍ବଲପୁର: ଜଟଣୀରୁ ସମ୍ବଲପୁର ଭୂମିଗତ ପାଇପ ଲାଇନରେ ଡିଜେଲ ଓ ପେଟ୍ରୋଲ ଅଣାଯାଇଥିବା ବ୍ୟବସ୍ଥାରେ ସିନ୍ଧି ମାରି ୨୬ ଲକ୍ଷ ଟଙ୍କାର ୮,୫୦୦ ଲିଟର ଡିଜେଲ ଚୋରି ମାମଲାର ପର୍ଦ୍ଦାଫାଶ କରିବାରେ ସମ୍ବଲପୁର ପୁଲିସ ସଫଳ ହୋଇଛି । ଏ ବିଷୟରେ ଜିଲ୍ଲା ପୁଲିସ ମୁଖ୍ୟାଳୟ ସୂତ୍ରରୁ ଆଜି ମିଳିଥିବା ଏକ ସୂଚନା ଅନୁସାରେ ଏହି ମାମଲାରେ ସଂଶ୍ଲିଷ୍ଟ ଏକ ଚୋର ଦଳର ୭ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଏକ ଟ୍ୟାଙ୍କର ଓ କାର ମଧ୍ୟ ଜବତ କରାଯାଇଛି, ଯାହାକି ଚୋରି ଡିଜେଲ ପରିବହନ ପାଇଁ ବ୍ୟବହାର କରାଯାଇଥିଲା । ବିଗତ ୧୦ ଫେବୃଆରୀ ମଧ୍ୟରାତ୍ର ସମୟରେ ଜଟଣୀ ଇଣ୍ଡିଆନ ପେଟ୍ରୋଲିୟମ ନିଗମ ଅଫିସରେ ହଠାତ ଜଣାପଡ଼ିଲା ଯେ ସେଠାରୁ ସମ୍ବଲପୁରକୁ ଡିଜେଲ ପାଇପ ଲାଇନରେ ଡିଜେର ଚାପ ହଠାତ ହ୍ରାସ ପାଉଛି । ଏହି ବିଷୟରେ ସମ୍ବଦ୍ଧ ପେଟ୍ରୋଲିଙ୍ଗ ଟିମକୁ ଜଣାଇ ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ କରାଗଲା । ସେମାନେ ଯୁଯୁମୁରା ପୁଲିସ ଥାନା ଅନ୍ତର୍ଗତ ହାତିବାରୀ ଗାଁ ପାଖରେ ଦେଖିବାକୁ ପାଇଲେ ଯେ ପାଇପ ଲାଇନରେ ଏକ ନୂଆଁ ଭାଲ୍ୱ ଖଞ୍ଜାଯାଇଛି । ସେମାନେ ସଙ୍ଗେ ସଙ୍ଗେ ଏ ବିଷୟରେ ଯୁଯୁମୁରା ପୁଲିସ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରି ପୁଲିସ ତଦନ୍ତ ପାଇଁ ଅନୁରୋଧ କରିଥିଲେ । ଏହି ତଦନ୍ତ ଅନୁସାରେ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ କବଜାରୁ ଏକ ଟ୍ୟାଙ୍କର ଟ୍ରକ ଓ ଏକ କାର ମଧ୍ୟ ଜବତ କରାଯାଇଛି । ଏଥିରେ କଳାହାଣ୍ଡିର ଜଣେ ପେଟ୍ରୋଲ ପମ୍ପ ମାଲିକ ଅଟଳ ବିହାରୀ ସାହୁ (୩୯) ମୁଖ୍ୟ ଭୂମିକା ଗ୍ରହଣ କରିଥିବା କୁହାଯାଉଛି । ଅନ୍ୟମାନଙ୍କୁ ଏମଡି ସୁଲତାନ (୨୩), ଅବଦୁଲ ଅମିନ (୩୩), ଶେଖ ଅଜମଦ (୩୨), କିଶୋର ସିଂହ (୩୫), ଚନ୍ଦ୍ର ଶେଖର ଚାନ୍ଦ (୩୩) ଓ ସୁନୀଲ ପଣ୍ଡା (୨୬) ରୂପେ ଚିହ୍ନଟ କରାଯାଇଛି ।

hiranchal ad1
Leave A Reply

Your email address will not be published.

5 × 2 =