ନୂଆପଡା : ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ସ୍ଥିତ ପଞ୍ଚାୟତ ସମିତି ସମ୍ବିଳନୀ କକ୍ଷରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ହେମକାନ୍ତ ସାଏଙ୍କ ସଭାପତିତ୍ୱରେ ଅଭିଯୋଗ ଶୁଣାଣୀ ଶିବିରରେ ବୋଡେନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପ୍ରେମସିଲା ନାଗ, ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ଜିଆର ରାଘବେନ୍ଦ୍ର, ଜିଲ୍ଲା କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ମଧୁଛନ୍ଦା ସାହୁ , ସ୍ୱଳ୍ପ ସଞ୍ଚୟ ଅଧିକାରୀ ନୂଆପଡ଼ା ବିବେକା ନନ୍ଦ ମହାନନ୍ଦ , ବୋଡେନ ବିଡିଓ ପ୍ରିୟରଞ୍ଜନ କୁମ୍ଭାର, ତହସିଲଦାର ରାଜେଶ କୁମାର ମେହେର,ବୋଡେନ ଆଇଆଇସି ସୁଦର୍ଶନ ନାଏକ ତଥା ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଶିବିରରେ ଉପସ୍ଥିତ ରହି ଅଭିଯୋଗ ଶୁଣାଣୀ ଶିବିରକୁ ସଫଳ ରୂପାୟନ ଦେଇଥିଲେ । ଅନୁଷ୍ଟିତ ଉକ୍ତ ଶିବିରରେ ବ୍ୟକ୍ତିଗତ ଭାବେ ୧୩ ଟି ଏବଂ ସାମୂହିକ ଭାବେ ୫ଟି ଏଭଳି ମୋଟରେ ୧୮ ଟି ଅଭିଯୋଗ ଦାଖଲ ହୋଇଥିଲା । ବ୍ୟକ୍ତିଗତ ଅଭିଯୋଗ ମାନଙ୍କ ମଧ୍ୟରେ ରାସନ୍ କାର୍ଡ, ଇନ୍ଦିରା ଆବାସ , ବିକଳାଙ୍ଗ ଭତ୍ତା , ବିଜୁଳି ସମସ୍ୟା ଉପରେ ଅଭିଯୋଗ ହୋଇଥିଲା । ଠିକ୍ ସେହିଭଳି ସାମୁହିକ ଅଭିଯୋଗ ମଧ୍ୟରେ ବିଭିନ୍ନ ପଞ୍ଚାୟତରେ ମନୋରେଗା ଯୋଜନାରେ କାର୍ଯ୍ୟରତ ଶ୍ରମିକ ମାନଙ୍କର ବର୍ଷ ବର୍ଷ ଧରି ପଇସା ନ ପାଇ ବଞ୍ଚିତ ହୋଇଥିବା ଓ ୫ଟି ସ୍କୁଲ ନିର୍ମାଣ ଉପରେ ଅଭିଯୋଗ ଦାଖଲ ହୋଇଥିଲା । ଉକ୍ତ ଅଭିଯୋଗମାନଙ୍କର ଯଥା ଶୀଘ୍ର ସମାଧାନ କରାଯିବା ପାଇଁ ଜିଲ୍ଲାପାଳ ହେମକାନ୍ତ ସାଏ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।