ବଲାଙ୍ଗୀର : ପୁଇଁତଲା ବ୍ଳକ ବୁବେଲଠାରେ ଆସନ୍ତାକାଲିଠାରୁ ୭୬ତମ ଦୋଳ ମହୋତ୍ସବ ଆରମ୍ଭ ହେବ । ଏ ଅବସରରେ ୩ତାରିଖରୁ ୭ତାରିଖ ଯାଏ ପ୍ରତିଦିନ ସଂଧ୍ୟାରେ କଂସ ରାଜ ଦରବାର ବସିବ । କଂସରାଜଙ୍କ ଦରବାରରେ ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ସମ୍ମାନିତ ଅତିଥି ସ୍ମାରକ ମିଶ୍ର, ସଭାପତି ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବଲାଙ୍ଗୀର, ଜିଲ୍ଲା କଂଗ୍ରେସ କୃଷକ ମୋର୍ଚ୍ଚା ସଭାପତି ସାନନ୍ଦ କୁମାର ମିଶ୍ର ଓ ବୁବେଲ ପଞ୍ଚାୟତ ସରପଞ୍ଚ ସବିତା ମିଶ୍ର ଉପସ୍ଥିତ ରହିବେ । ଦ୍ୱିତୀୟ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି , ସମ୍ମାନିତ ଅତିଥି ଭାବେ ପୁଇଁତଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ସରୋଜ ପଧାନ ଓ ୧୯ ନମ୍ବର ଜୋନ ଜିଲ୍ଲାପରିଷଦ ଅଧ୍ୟକ୍ଷ କୁମରମଣି ସେଠ, ପ୍ରଫୁଲ୍ଲ ତୁମନିଆ ମ୍ୟାନେଜର ନ୍ୟୁ ଇଣ୍ଡିଆ ଇନ୍ସୁରାନ୍ସ ତଥା ସଂପାଦକ ବଲାଙ୍ଗୀର ଆଦିବାସୀ ସଂଘ ଉପସ୍ଥିତ ରହିବେ । ୩ୟ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ପୌରାଧକ୍ଷା ଲିକା ସାହୁ ଓ ନିହାର ରଞ୍ଜନ ବେହେରା, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଓ ଯୁବ ସମାଜସେବୀ ସିଦ୍ଧାର୍ଥ ମିଶ୍ର କଂସଙ୍କ ଦରବାରରେ ହାଜିର ହେବେ । ୪ର୍ଥ ଦିନ ଦରବାରରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଜୋନ ୧୭ ସଦସ୍ୟ ଶିବଦତ୍ତ ମିଶ୍ର, ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ନୋମିନି ବିଜେପି ନେତା ରାଜ କିଶୋର ନାଏକ ହାଜର ହେବେ । ଦରବାର କାର୍ଯ୍ୟକ୍ରମର ଶେଷ ସଂଧ୍ୟାରେ ପରିବହନ, ଜଳସେଚନ ମନ୍ତ୍ରୀ ଟୁକୁନୀ ସାହୁ ଓ ଯୁବ ବିଜେଡି ନେତା ସଞ୍ଜିବ ସେଠ୍ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିବା ସ୍ୱୀକୃତି ଦେଇଥିବା ଆୟୋଜକ କମିଟି ତରଫରୁ ଟିକେଶ୍ୱର ସାଏ ସୂଚନା ଦେଇଛନ୍ତି । କଂସ ରାଜ ଦରବାରରେ ପ୍ରସିଦ୍ଧ କଳାକାର ଅନିଲ କୁମାର ସାଏ ଓ ତାଙ୍କ ଦଳ ୧ମ ସଂଧ୍ୟାରେ ଉଗ୍ରସେନ ରାଜ ଦରବାର, ଦେବକୀ ବସୁଦେବ ବିବାହ ଏବଂ କଂସ ସିଂହାସନ ଆରୋହଣ, ୨ୟ ସଂଧ୍ୟାରେ କଂସ ରାଜ ଦରବାର ଓ ଶ୍ରୀକୃଷ୍ଣ ଜନ୍ମ ପରିବେଷଣ କରିବେ । ସେହିପରି ପ୍ରତିଦିନ ସଂଧ୍ୟାରେ ଦରବାର ଓ ସୂଚନା ପ୍ରେରଣ, ରଙ୍ଗସଭା, ଅକୃର ଗମନ, କୃଷ୍ଣ ବଳରାମଙ୍କ ମଥୁରା ଆଗମନ ଓ କଂସବଧ ପର୍ଯ୍ୟାୟ କ୍ରମେ ପରିବେଷିତ ହେବ । ୮ତାରିଖରେ ହରିହର ଭେଟ, ରଙ୍ଗଖେଳ ସହ ଉଜ୍ଜାବନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ତୀର୍ଥ ନାଗ, ରଙ୍ଗାଧର ନାଏକ ଓ ଅନ୍ୟମାନେ ପ୍ରକାଶ କରି ଉତ୍ସବରେ ସାମିଲ ହେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।