ସମ୍ବଲପୁର: ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚରେ ପ୍ରେସ ଏକାଦଶ ବିରୁଦ୍ଧରେ ଜିଲ୍ଲା କ୍ରୀଡ଼ା ସଂଘ ବିଜୟ ଲାଭ କରିଛି । ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ଉଚିତ ବାତାବରଣ ନିର୍ମାଣ ସହିତ ସେ ବିଷୟରେ ନିର୍ଭୁଲ ଖବର ପରିବେଷଣକୁ ପ୍ରଧାନ୍ୟ ଦେବା ଲକ୍ଷ୍ୟରେ ଆଜି ସ୍ଥାନୀୟ ସର୍ବବୃହତ ପଡିଆରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ସ୍ଥାନୀୟ ପ୍ରେସ ପରିବାରର ସଦସ୍ୟମାନେ ଓ ଜିଲ୍ଲା କ୍ରୀଡ଼ା ସଂଘର ଚୟନିତ କିଛି ସଦସ୍ୟ ଏକତ୍ରିତ ହୋଇଥିଲେ ।
ଟସ ଜିତିବାପରେ ପ୍ରେସ ଏକାଦଶ ଫିଲଡିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଓ ତାଙ୍କର ବୋଲରମାନେ ଉତ୍ତମ ଖେଳର ପ୍ରଦର୍ଶନ ସହିତ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିପାରେ ସଫଳ ହୋଇଥିଲେ । କିନ୍ତୁ ପ୍ରେସ ଏକାଦଶର ବ୍ୟାଟ୍ସମ୍ୟାନମାନେ ସେହି ଅନୁସାରେ ପ୍ରଦର୍ଶନ କରିପାରି ନଥିଲେ ଓ ମାତ୍ର ଚାରି ରନ ପାଇଁ ପରାଜିତ ହୋଇଥିଲେ । ଏଥିରେ ଉତ୍କୃଷ୍ଟ ବୋଲିଙ୍ଗ ପ୍ରଦର୍ଶନ ଯୋଗୁଁ ଯୁବ ସାମ୍ବାଦିକ ମଳୟ ପରିଡ଼ାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପ୍ରଦାନ କରା ଯାଇଥିଲା । ପ୍ରେସ ଏକାଦଶର ନେତୃତ୍ୱ ସୁବ୍ରତ ମିଶ୍ର ଓ ଜିଲ୍ଲା କ୍ରୀଡ଼ା ସଂଘର ନେତୃତ୍ୱ ଦୁଲାଲଚନ୍ଦ୍ର ପ୍ରଧାନ ନେଇଥିଲେ ।