ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ନବ ନିର୍ମାଣ ଥିବା ବସଷ୍ଟାଣ୍ଡ ନିକଟରେ ରବିବାର ଦିନ ଆଦର୍ଶ ଦୈନିକ ବଜାରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ,ବ୍ଲକ ଉପାଧକ୍ଷ ସରୋଜ ପ୍ରଧାନ, ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକ, ଏଡିଏମ ବିବିତା ରାଣୀ ଦଳବେହେରା, ଉପ ଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର,ଏବଂ ସ୍ଥାନୀୟ ସରପଞ୍ଚ ଅଶୋକ ସେଠି, ପୁରୁଣା କଟକ ସମିତି ସଭ୍ୟ ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । କୃଷି ଓ କୃଷକଙ୍କ ବଜାର ସୁବିଧା ଦୃଷ୍ଟିରୁ ଏସବୁ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ତୁରନ୍ତ ଉକ୍ତ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା ପାଇଁ ଏକ ନଳକୂପ ଖନନ କରାଯିବା ସହ ଆଦର୍ଶ ବଜାରର ଆବଶ୍ୟକତା ଥିବା ବ୍ୟବସାୟୀଙ୍କ ପାଇଁ ପିଣ୍ଡି, ବଜାର ଗୃହ ଆଦି ବିଭିନ୍ନ କାର୍ଯ୍ୟ ଗୁଡିକ ଏକମାସ ଭିତରେ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଭିତ୍ତିପ୍ରସ୍ତର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର କୃଷକ, ବ୍ୟବସାୟୀ ଓ ଜନସାଧାରଣମାନେ ଯୋଗଦେଇଥିଲେ ।