ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ସପ୍ତାହ ତଥା ପ୍ରଦର୍ଶନୀ ମେଳା ସ୍ଥାନୀୟ ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ଅଡିଟୋରୀୟମ ଠାରେ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅନ୍ୟତମ ଅତିଥି ଭାବେ ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟର ଡକ୍ଟର ଅନିତା ପାତ୍ର, ଶିଳ୍ପ ନିରୀକ୍ଷକ ମନୋଜ ମହାପାତ୍ର, ଜିଲ୍ଲା ଶିଳ୍ପ କେନ୍ଦ୍ର ସଂସ୍ଥାର ସାଧାରଣ ପରିଚାଳକ ସୁନା ରାମ ସିଂ ପ୍ରମୁଖ ମଞ୍ଚାସିନ ଥିଲେ । ମନୋଜ ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅତିଥି ମାନେ ଏହି କର୍ମଶାଳାରେ ଜିଲ୍ଲାର ଶିକ୍ଷିତ ଓ ବେକାର ଯୁବକଯୁବତୀମାନଙ୍କୁ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତି ଆକୃଷ୍ଟ ହେବାକୁ ଆହ୍ୱାନ ଦେଇଥିଲେ । ଜଣେ ଜଣେ ଉଦ୍ୟୋଗପତି ହେଲେ ଜିଲ୍ଲାର ବିକାଶ ହେବା ସଙ୍ଗେ ସଙ୍ଗେ ଅନ୍ୟକୁ ରୋଜଗାର ଦେଇ ପରିବା ଓ ଜିଲ୍ଲାରୁ ବେକାରୀ ସମସ୍ୟା ଦୂରୀକରଣ ହୋଇପାରିବ ବୋଲି ଅତିଥି ମାନେ ନିଜର ମତ ବ୍ୟକ୍ତ କରିଥିଲେ । ଉଦ୍ୟୋଗୀକ ବିଷୟ ବସ୍ତୁ ଉପରେ ପ୍ରବନ୍ଧ, ବିତର୍କ ଓ ଚିତ୍ର ପ୍ରତିଯୋଗୀତା ହୋଇଥିଲା । କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଛି । ଋଣ ପ୍ରଦାନ କରିଥିବା ବ୍ୟାଙ୍କକୁ ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉଦ୍ୟାନ ବିଭାଗ, କୃଷି ବିଭାଗ, ପ୍ରାଣୀ ସମ୍ପଦ ବିଭାଗଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।