ତାଣ୍ଡବ ରଚିଲା କାଳବୈଶାଖୀ : ବର୍ଷିଲା କୁଆପଥର, ଉପୁଡ଼ିଲା ଗଛ

0 161

ଦଶପଲ୍ଲା: ଦୀର୍ଘ ଚାରିଦିନ ଧରି ଦଶପଲ୍ଲାରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ସହ ବିଦ୍ୟୁତ ସେବା ବନ୍ଦ ରହିଛି । ଏହା ସହ ମୋବାଇଲ୍‌ ସେବା ବନ୍ଦ ରହିଛି । ମଙ୍ଗଳବାର ମଧ୍ୟାହ୍ନରେ ବର୍ଷା ସହ କୁଆପଥର ବୃଷ୍ଟି ଜନ ଜୀବନକୁ ଅସ୍ତ ବ୍ୟସ୍ତ କରିଥିଲା । ଅଧ ଘଣ୍ଟା ପର୍ଯ୍ୟନ୍ତ ଛେଚିଥିଲା କୁଆପଥର । ବର୍ଷା ସହ ପବନ ଯୋଗୁଁ ସ୍ଥାନୀୟ ତ୍ରିନାଥ ବଜାର ନିକଟରେ ଏକ ବଡ଼ ଚାକୁଣ୍ଡା ଗଛ ୫୭ ନମ୍ୱର ଜାତୀୟ ରାଜପଥ ଉପରେ ଉପୁଡ଼ି ପଡ଼ିବାରୁ ଗମନାଗମନ ବିଚ୍ଛିନ୍ନ ହୋଇଥିଲା । ଏକ ଘଣ୍ଟା ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଉଭୟ ପାର୍ଶ୍ୱରେ ସମସ୍ତ ଗାଡ଼ି ମୋଟର ଅଟକି ରହିଥିଲା । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଗଛକାଟି ରାସ୍ତା ସଫା କରିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା । ସେହିପରି ବାଣୀଗୋଛା, ପୋଇବାଡି ଓ ନୂଆସାହି ଠାରେ ଗଛ ପଡି ରାସ୍ତା ବନ୍ଦ ଥିବା ବେଳେ ସ୍ଥାନୀୟ ଲୋକମାନେ ଗଛ କାଟି ସଫା କରିଥିଲେ । କୁଆପଥର ବୃଷ୍ଟି ଯୋଗୁ ବହୁ ଚାଷୀଙ୍କ ଫସଲ ନଷ୍ଟ ହୋଇଛି । କୋବି,ବାଇଗଣ, ଟମାଟ ସହ ଖରାଦିନିଆ ଫସଲ ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଚାଷୀ ଚିନ୍ତାରେ । କାଳ ବୈଶାଖୀ ପାଇଁ ବିଦ୍ୟୁତ୍‌ ସେବା ବନ୍ଦ ରହିଥିଲା । ଗତ ଚାରି ଦିନ ଧରି ଦଶପଲ୍ଲା ବ୍ଲକ ଚଢେୟାପଲ୍ଲୀ, କଳସାଖମଣ, ନୂଆଗାଁ, ଦୁଡ଼ା, ବାଣୀଗୋଛା, କୁଳୁରୁକୁମ୍ପା, କୁଜାମେଣ୍ଢି, ଟାକରା ଆଦି ପଞ୍ଚାୟତରେ ବିଦ୍ୟୁତ୍‌ ସରବରାହରେ ବ୍ୟାଘାତ ସୃଷ୍ଟି ହୋଇଛି । ଫଳରେ ଉକ୍ତ ଅଞ୍ଚଳରେ ଟେଲିଫୋନ ଓ ମୋବାଇଲ ସେବା ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

four × five =