ବାଘ ଆତଙ୍କରେ ଥରହର ସୁନାବେଡା: ମାତିଛି ବାଘୁଣୀ, ଆକ୍ରାମକ ହେଉଛି ବାଘ

0 53

ନୂଆପଡା:ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଅଞ୍ଚଳବାସୀ ଏବେ ବାଘ ଆତଙ୍କରେ ଥରହର ହେଉଛନ୍ତି । ଅଭୟାରଣ୍ୟର ଭିନ୍ନଭିନ୍ନ ଅଞ୍ଚଳରେ ଗୋଟିଏ ବାଘ ଏବଂ ଏକ ବାଘୁଣୀ କ୍ରମାଗତ ଭାବେ ଜନବସତି ଉପରେ ଆକ୍ରମଣ କରୁଛନ୍ତି । ଅଭୟାରଣ୍ୟ ସଂଲଗ୍ନ ଉତ୍ତର ପଟେ ନୂଆପଡା ବନାଞ୍ଚଳରେ ଏକ ବାଘୁଣୀ ନିଜ ଶାବକ ସହିତ ବୁଲୁଥିବା ବେଳେ ଅଭୟାରଣ୍ୟର ମଧ୍ୟ ପଶ୍ଚିମ ଭାଗରେ କୋମନା ବ୍ଲକ୍‌ ଅନ୍ତର୍ଗତ ସୋସେଙ୍ଗ ପଞ୍ଚାୟତରେ ଏକ କଲରାପତରିଆ ବାଘ ମାତିଛି । ଉଭୟପଟୁ ବାଘ ଆକ୍ରମଣରେ ଧନଜୀବନ ନଷ୍ଟ ଯୋଗୁ ଲୋକେ ଭୟଭୀତ ହୋଇରହିଛନ୍ତି । ସୁନାବେଡା ଅଭୟାରଣ୍ୟର ଗ୍ରାମାଞ୍ଚଳରେ ଏବେ ଦିନବେଳା ବି ତାଟିକବାଟ ପଡି ରହିବା ଭଳି ସ୍ଥିତି ଉପୁଜିଛି ।
ଗତ ୧୯ତାରିଖ ରାତିରେ ଅଭୟାରଣ୍ୟର କୋମନା ବ୍ଲକ ଅନ୍ତର୍ଗତ ଜଳମଡାଇ ଗାଁରେ ଜଣେ ବୃଦ୍ଧାଙ୍କୁ ବାଘ ଘର ପଛପଟୁ ଟାଣିନେଇ ଖାଇଯାଇଥିଲା । ଏହି ଭୟ ଲୋକଙ୍କ ମନରୁ ଲିଭି ନାହିଁ । ଆଜି ନୂଆପଡା ବ୍ଲକ ତରିଆମହୁଆଭଟା ଗାଁରେ ମୁଷରଙ୍ଗୀ ଜଙ୍ଗଲରୁ ଚାଲିଆସିଥିବା ବାଘୁଣୀ ଆତଙ୍କ ଖେଳାଇ ରଖିଛି । ବାଘୁଣୀ ତରିଆମହୁଆଭଟା ଗାଁରୁ ଏକ ବାଛୁରୀକୁ ଟାଣି ନେଇଛି । ଜଳମଡାଇ ଏବଂ ଏହାର ଆଖପାଖ ଗାଁରେ ଦିନରାତି ବାଘ ପଇଁତରା ମାରି ହେଣ୍ଟାଳ ଛାଡୁଥିବା ବେଳେ ତରିଆମହୁଆଭଟା ସମେତ ଏହା ନିକଟରେ ବାଘୁଣୀର ଅନୁରୂପ ଗତିବିଧି ଲାଗିରହିଛି । ଫଳରେ ଉକ୍ତ ଅଞ୍ଚଳବାସୀ ମଧ୍ୟ ଆତଙ୍କରେ କାଳାତିପାତ କରୁଛନ୍ତି । ଏଣେ ବନବିଭାଗ ଉଭୟ ଅଞ୍ଚଳରେ ଉପସ୍ଥିତ ରହି କ୍ୟାମେରା ଉପରେ କ୍ୟାମେରା ଲଗାଇ ଚାଲିଛି । ହେଲେ ବାଘକୁ ନା ଟ୍ରାକ୍‌ କରିପାରୁଛି ନା ଲୋକଙ୍କୁ ସୁରକ୍ଷା ଦେଇପାରୁଛି ? ଯଦ୍ୱାରା ପ୍ରତିଦିନ ଜନବସତି ଭିତରକୁ ବାଘ-ବାଘୁଣୀ ପଶି ଶିକାର କରୁଛନ୍ତି । ଏଣେ ବନବିଭାଗର ବିଫଳତା ଯୋଗୁଁ ଜନଅସନ୍ତୋଷ ବଢିବାରେ ଲାଗିଛି ।
ପ୍ରକାଶଯୋଗ୍ୟ ଯେ, ୧୭ ଦିନ ହେବ ସୁନାବେଡା ପ୍ରସ୍ତାବିତ ବ୍ୟାଘ୍ର ପ୍ରକଳ୍ପରୁ ଏକ ବାଘୁଣୀ ଛୁଆ ସହ ଖାଦ୍ୟ ଅନ୍ୱେଷଣରେ ମୂଷରଙ୍ଗୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲକୁ ଚାଲିଆସି ଆଡ୍ଡା ଜମାଇ ବସିଛି । ମଙ୍ଗଳବାର ରାତିରେ ବାଘୁଣୀ ଗାଁ ଦାଣ୍ଡରୁ ଏକ ବାଛୁରୀକୁ ଟାଣି ନେଇଥିବା ଲୋକେ କହିଛନ୍ତି । ତେବେ ଏହା କାହାର ବାଛୁରୀ ଚିହ୍ନଟ ହୋଇ ନ ଥିବାବେଳେ ତାର ଦେହାବଶେଷ ମଧ୍ୟ ବନବିଭାଗ ଠାବ କରି ନ ଥିବା କହିଛି ।
ଗାଁ ଲୋକଙ୍କ କହିବା ଅନୁଯାୟୀ, ଗତରାତିରେ ତରିଆ ମହୁଆଭଟା ଗାଁ ଦାଣ୍ଡରେ ବାଘୁଣୀ ଘୁରି ବୁଲିଥିଲା । ବୁଲିବୁଲି ରଡି ଛାଡୁଥିଲା । ଫଳରେ ଗାଁଲୋକେ ରାତିସାରା ଘର ଭିତରେ ଜଗି ରହିଥିଲେ । ଏହି ୧୭ ଦିନ ଭିତରେ ବାଘୁଣୀ ପ୍ରତି ଦିନେ ଦୁଇ ଦିନ ଭିତରେ ଗାଁକୁ ଆସି ଏଭଳି ହେଣ୍ଟାଳ ମାରିଥାଏ ଏବଂ ଶିକାର କରିଥାଏ । ଏହି ୧୭ ଦିନ ଭିତରେ ବାଘୁଣୀ ଦୁଇଟି ଗାଈ, ଦୁଇଟି ବାଛୁରୀକୁ ମାରି ଖାଇଥିବାବେଳେ ମଇଁଷି ଓ ବାଛୁରୀକୁ ଘାଇଲା କରିସାରିଛି । ସେବେଠାରୁ ବନ କର୍ମଚାରୀ ଗାଁରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରୁଛନ୍ତି ।
ସେହିପରି ୧୫ ଦିନ ହେଲା ଜଳମଡାଇ ଗାଁରେ ବାଘ ପଇଁତରା ମାରି ଆତଙ୍କ ଖେଳାଉଛି । ଇତିମଧ୍ୟରେ ଗାଁରେ ଜଣେ ବୃଦ୍ଧାଙ୍କ ସମେତ ଗୋଟିଏ ବାଛୁରୀ, ଗୋଟିଏ କୁକୁରକୁ ବାଘ ଶିକାର କରି ସାରିଲାଣି । ୩ ଦିନ ହେବ ଲଗାତାର ବାଘ ଗାଁ ଚାରି ପାଖରେ ଘୂରି ବୁଲୁଛି । ବନକର୍ମଚାରୀ ବାଘର ପାଦଚିହ୍ନ ମଧ୍ୟ ଠାବ କରିଛନ୍ତି । ବାଘକୁ ଟ୍ରାକ୍‌ କରିବା ପାଇଁ ବନବିଭାଗ ପକ୍ଷରୁ ପୂର୍ବରୁ ୧୦ଟି କ୍ୟାମେରା ଲଗାଯାଇଥିଲା । ଆଜି ପୁଣି ୩ଟି କ୍ୟାମେରା ଲଗାଯାଇଛି । ହେଲେ ଏଯାଏ ବନବିଭାଗ ବାଘର ଫଟୋ ପାଇନଥିବା କହୁଛି । ଏଠାରେ ଲୋକେ ଆତଙ୍କରେ ଜୀବନ କାଟୁଥିବା ବେଳେ ତୁରନ୍ତ ବାଘକୁ ଘଉଡାଇ ସୁରକ୍ଷା ଦେବାକୁ ଦାବି କରିଛନ୍ତି ।
ଏନେଇ ସୁନାବେଡା ବନ୍ୟପ୍ରାଣୀ ରେଞ୍ଜର ଶିବପ୍ରସାଦ ଖମାରୀଙ୍କୁ ପଚାରିବାରୁ କହିଛନ୍ତି, ଏବେ ଜଳମଡେଇ ଗାଁରେ ବନ କର୍ମଚାରୀ ୨୪ ଘଣ୍ଟିଆ ପାଟ୍ରୋଲିଂ କରୁଛନ୍ତି । ଏଥିରେ ଫରେଷ୍ଟର, ଗାର୍ଡ, ପାରାସ୍କ୍ୱାଡ୍‌, ୧୦ ଜଣ ଆଣ୍ଟିପୋଚିଂ ସ୍କ୍ୱାଡ୍‌, ୫ ଜଣ ଫାୟାର ଫାଇଟିଂ ସ୍କ୍ୱାଡ୍‌ ନିୟୋଜିତ ଅଛନ୍ତି । ଏଭଳି ଦୁଇଟି ଟିମ୍‌ରେ ପ୍ରାୟ ୨୫ ଜଣ କର୍ମଚାରୀ ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ପ୍ରଥମଦିନ ୧୦ଟି ଓ ଆଜି ୩ଟି ଟ୍ରାକିଂ କ୍ୟାମେରା ଲଗାଯାଇଛି । ପ୍ରତିଦିନ ପାଦ ଚିହ୍ନ ଠାବ ହେଉଛି । ଲୋକଙ୍କୁ ବାଘଠାରୁ ସୁରକ୍ଷା ଦେବା ଲାଗି ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

four × five =