ଚାଉଳ ଗୋଦାମ ଭିତରେ ପଡିରହିଛି ମହାପ୍ରଭୁଙ୍କ ରଥଚକ

0 90

ପୁରୀ : ପୁଣି ମହାପ୍ରଭୁଙ୍କୁ ଅପମାନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ନନ୍ଦିଘୋଷ ରଥର ଚକ ଓ ଗୁଜ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି ଚାଉଳ ଗୋଦାମ ଭିତରେ । ଧୂଳି ଧୂସରିତ ଅବସ୍ଥାରେ ପଡ଼ିରହିଛି ମହାପ୍ରଭୁଙ୍କ ରଥ ଚକ ଏବଂ ଏହାର ଅଂଶ । ପୁରୀ କଲେଜ ଛକ ନିକଟ ଏକ ଚାଉଳ ଗୋଦାମରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ରଥ ଚକ କିଣିଥିବା ବ୍ୟକ୍ତି ଅତ୍ୟନ୍ତ ଦାୟିତ୍ୱହୀନ ଭାବେ ମହାପ୍ରଭୁଙ୍କ ରଥର ଏହି ଅଂଶକୁ ପରିତ୍ୟକ୍ତ ଅବସ୍ଥାରେ ପକାଇ ରଖିଛନ୍ତି । ଏହି ଦୃଶ୍ୟ ଦେଖି ଜଗନ୍ନାଥ ପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି ।
ଏସ୍‌ସିଏସ୍‌ କଲେଜ ନିକଟରେ ଥିବା ଏକ ଚାଉଳ ଗୋଦାମ ଭିତରେ ଅତ୍ୟନ୍ତ ଧୂଳି ଧୂସରିତ ଅବସ୍ଥାରେ ନନ୍ଦିଘୋଷ ରଥର ଚକ ଓ ଗୁଜ ପଡ଼ି ରହିଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଚକ ଓ ଗୁଜ ପାଖରେ ପଡ଼ି ରହିଛି ଅଇଁଠା ପାଣି ବୋତଲ ସହ ଅଳିଆ ସଫା କରାଯାଉଥିବା ଏକ ବେଲଚା । ପବିତ୍ର ନନ୍ଦିଘୋଷ ରଥର ଚକ ଓ ଗୁଜର ଏଭଳି ଅବସ୍ଥାକୁ ଦେଖି ଜଗନ୍ନାଥ ପ୍ରେମୀଙ୍କୁ ଏହା ବେଶ୍‌ ଆଘାତ ଦେଇଛି । ଯେଉଁ ରଥକୁ ଭକ୍ତ ମାନେ ଦେବତା ତୁଲ୍ୟ ମନେକରି ପ୍ରଣାମ କରିଥାନ୍ତି ଏବଂ ଏହାର ଅଂଶକୁ ଘରେ ଆଣି ପୂଜାର୍ଚ୍ଚନା କରିଥାନ୍ତି ସେହି ରଥର ଚକ ଓ ଗୁଜକୁ ଏଭଳି ଅପମାନ ସହଜରେ ଗ୍ରହଣ କରିପାରି ନାହାନ୍ତି ଜଗନ୍ନାଥ ପ୍ରେମୀ । ଏଭଳି ହୀନ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିବା ସହ ରଥ ଚକ ନେଉଥିବା ବ୍ୟକ୍ତି ଓ ଅନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିବା ଆବଶ୍ୟକ ବୋଲି ଦାବି କରିଛନ୍ତି ଭକ୍ତ ଓ ସେବାୟତ ।

hiring


ତେବେ ସୂଚନା ଅନୁସାରେ କଟକର ଜଣେ ବ୍ୟକ୍ତି ଶ୍ରୀମନ୍ଦିର ପ୍ରଶାସନକୁ ୫୧ ହଜାର ଟଙ୍କା ଦେଇ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଚକ ଓ ଗୁଜ କିଣିଥିଲେ । ହେଲେ ଏହାକୁ ସେ କଟକ ନେବା ପରିବର୍ତ୍ତେ ପୁରୀ କଲେଜ ଛକ ନିକଟରେ ଥିବା ଏକ ଚାଉଳ ଗୋଦାମରେ ଏହାକୁ ଧୂଳି ଧୂସରିତ ଅବସ୍ଥାରେ ପକାଇ ଚାଲି ଯାଇଥିଲେ । ତେବେ ମହାପ୍ରଭୁଙ୍କ ରଥ ଚକର ପବିତ୍ରତାରେ ଆଞ୍ଚ ଆସିଥିବା ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଅବଗତ କରାଯାଇଥିଲା । କିନ୍ତୁ ଏନେଇ ନୀତି ପ୍ରଶାସକଙ୍କ ପାଖରେ କୌଣସି ଖବର ନଥିବାବେଳେ ଅଭିଯୋଗ ଆସିଲେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନୀତି ପ୍ରଶାସକ ।
ରଥଯାତ୍ରା ପରେ ରଥ ଚକ ସହ ଏହାର ବିଭିନ୍ନ ଅଂଶ କିଣୁଥିବା ବ୍ୟକ୍ତିମାନେ ଏହାର ପବିତ୍ରତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଏକ ଅଣ୍ଡର ଟେକିଙ୍ଗ ଦେଇ ରଥର ସମସ୍ତ ଅଂଶକୁ କିଣିଥାନ୍ତି । ତେବେ ଅନେକ ସ୍ଥାନରେ ରଥର ଚକ ଓ ଏହାର ବିଭିନ୍ନ ଅଂଶ ଅନେକ ସ୍ଥାନରେ ଅବ୍ୟବସ୍ଥିତ ଢଙ୍ଗରେ ପଡ଼ି ରହୁଥିବା ଦେଖିବାକୁ ମିଳିଛି । କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ବ୍ୟାପକ ସଚେତନତା କରାଯିବାର ଆବଶ୍ୟକତା ରହିଛି ।

hiranchal ad1
Leave A Reply

Your email address will not be published.

eighteen + twelve =