ପାରଳାଖେମୁଣ୍ଡି: ରାସ୍ତା ସମସ୍ୟା ପାଇଁ ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ପହଞ୍ଚିଲାନି ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ଦୁଇ କିମି ବୁହାହେଲେ ଗର୍ଭବତୀ ମହିଳା । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ କର୍ଚବାଡି ପଞ୍ଚାୟତ ଜାଗରସିଂ ଗାଁରେ ।ଗାଁର ମୁନା ଶବରଙ୍କ ସ୍ତ୍ରୀ ସୁନିତା ଶବରଙ୍କ ପ୍ରସବ ବେଦନା ହେବାରୁ ଆଶା ଦିଦି ଓ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ହେଲେ ଗାଁ ପର୍ଯ୍ୟନ୍ତ ପ୍ରାୟ ୨ କିମି ରାସ୍ତା ନଥିବାରୁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ।ଫଳରେ ଆମ୍ବୁଲାନ୍ସ କର୍ମଚାରୀ ଗାଁ ପର୍ଯ୍ୟନ୍ତ ଚାଲି ଚାଲି ଯାଇ ସୁନିତାଙ୍କ ଘରେ ପହଞ୍ଚିବା ପରେ ଗ୍ରାମବାସୀ ଓ ଆମ୍ବୁଲାନ୍ସ କର୍ମଚାରୀ ମାନେ ମିଳିତ ଭାବେ ସୁନିତାଙ୍କୁ ପ୍ରାୟ ୨ କିମି ରାସ୍ତା ଷ୍ଟ୍ରେଚରରେ ବୋହି ଆଣିବା ପରେ ଆମ୍ବୁଲାନ୍ସ୍ ଯୋଗେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ସୁନିତାଙ୍କ ବର୍ତ୍ତମାନ ଗୋଟିଏ କନ୍ୟା ସନ୍ତାନ ଜନ୍ମ ହୋଇଛି । ମାଁ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି । ତେବେ ଗାଁକୁ ଭଲ ରାସ୍ତା ନିର୍ମାଣ ପାଇଁ କେତେ ଗୁହାରି ଜଣାଇଥିଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ପାଲଟି ଯାଇଛି ବୋଲି ଅଭିଯୋଗ ହେଉଛି ।