କାଳିଆ ପ୍ରେମରେ ବିଦେଶୀ, ଶ୍ରୀମନ୍ଦିର ପରିସରରେ ଦଣ୍ଡ ପ୍ରଣାମ କଲେ ରୁଷ ଭକ୍ତ

0 69

ପୁରୀ : କାଳିଆଠାକୁରଙ୍କ ମୋହରେ ଛନ୍ଦି ହେଉଛନ୍ତି ବିଦେଶୀ । ବିଦେଶରେ ମହମହ ହେଇ ମହକୁଛି ଭାରତୀୟ ସଂସ୍କୃତିର ବାସ୍ନା । ସାରା ବିଶ୍ୱରୁ ଭାରତୀୟ ସଂସ୍କୃତି ଓ ବିଶେଷକରି ଜଗନ୍ନାଥ ସଂସ୍କୃତିକୁ ଆଦର୍ଶ ମାନି ଧାଇଁ ଆସୁଛନ୍ତି ପର୍ଯ୍ୟଟକ ଓ ଭକ୍ତ । ଶ୍ରୀମନ୍ଦିର ଭିତରକୁ ଯିବାକୁ ବିଦେଶୀଙ୍କୁ ମନା ହେଲେ ଭାରତୀୟ ଓ ସନାତନି ସଂସ୍କୃତିକୁ ଭଲପାଇ ବିଦେଶୀ ମାନେ ଶ୍ରୀମନ୍ଦିର ବାହାରେ ଆସି କଳାଠାକୁରଙ୍କ ସତ୍ତାକୁ ଉପଲବଧି କରୁଛନ୍ତି । ଯାହାର ଉଦାହରଣ ଶ୍ରୀମନ୍ଦିର ନିକଟରେ ଦେଖିବାକୁ ମିଳିଛି । ରୁଷରୁ ଆସିଥିବା ୩ଜଣ ବ୍ୟକ୍ତି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପରିକ୍ରମା ପୂର୍ବକ ଦଣ୍ଡ ପ୍ରଣାମ ମାରି ମାରି ଏକ ନୂଆ ସନ୍ଦେଶ ଦେଇଛନ୍ତି । ଯାହାକୁ ସବୁ ଭକ୍ତ ପର୍ଯ୍ୟଟକ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ରୁଷିଆ ଓ ଇଣ୍ଡିଆ ଦୁଇ ବନ୍ଧୁ । ଭାରତୀୟ ସଂସ୍କୃତିକୁ ଖୁବ ଭଲ ଲାଗେ । ଏହି ସଂସ୍କୃତି ବହୁତ ପ୍ରାଚୀନ । ଆମେ ପ୍ରଭୂ ଜଗନ୍ନାଥଙ୍କୁ ଭଲ ପାଉ । କୃଷକଙ୍କୁ ଭଲପାଉ । ଜଗନ୍ନାଥ ଆମ ହୃଦୟରେ ଅଛନ୍ତି ।ଇଏ କୌଣସି ଭାରତୀୟଙ୍କ କଥା ନୁହେଁ ବା ସନାତନ ହିନ୍ଦୁ ବିଶ୍ୱାସୀଙ୍କ କଥା ନୁହେଁ ।ଇଏ କଥା ଭାରତୀୟ ସଂସ୍କୃତିକୁ ମନଭରି ଭଲପାଉଥିବା ତିନି ବିଦେଶୀଙ୍କ କଥା । ମନ କାଳିଆ ପ୍ରେମରେ ଲଟପଟ ଦେଖଣାହାରି କହୁଥିଲେ ,କଳାଠାକୁରରେ ତୋ ମାୟା ବଡ ବିଚିତ୍ର ।

hiring


ତିନିଜଣ ସୁଦୂର ଋଷିଆରୁ ଆସିଛନ୍ତି । ଜଗା ପ୍ରେମ ଏମାନଙ୍କୁ ଟାଣି ଆଣିଛି ।ନବଦ୍ୱୀପ, ଜଗନ୍ନାଥ ଧାମ ଓ ବୃନ୍ଦାବନ ତିନିଟି ଜାଗାରେ ପରିକ୍ରମା କରିବାର ଇଛା ରହିଛି । ହାତରେ ଗୋଡିଟିଏ ଧରୁଛନ୍ତି, ଦଣ୍ଡଟିଏ ମାରି ସେଇଠି ଚିହ୍ନଟିଏ ଦେଉଛନ୍ତି, ସେଇଠୁ ଆରମ୍ଭ ହେଉଛି ଆଉ ଗୋଟିଏ ଦଣ୍ଡବତ । ଏହି ସତେ ଯେମିତି ବିଶ୍ୱନିଅନ୍ତା କଳାଠାକୁର ନିଜେ ଶିଖେଇ ଦେଉଛନ୍ତି ଭକ୍ତିର ମାର୍ଗକୁ । କଷ୍ଟ କଲେ କୃଷ୍ଣ ମିଳେ । ବୋଧ ହୁଏ ଏମାନେ ବେଶୀ ଉପଲବ୍ଧି କରିଛନ୍ତି ଏ ମର୍ମକୁ । ପରିକ୍ରମା ମାର୍ଗର କାମ ଚାଲିଥିବା ବେଳେ ଚାରିଆଡେ ଗୋଡି ବାଲି, ମେଟାଲ ପଡିଛି । ଖାଲ ଖମା ରହିଛି ରାସ୍ତା । ହେଲେ ଏ ଅସହଜ ରାସ୍ତାରେ ଏ ତିନି ଜଣ ପରିକ୍ରମା କରୁଛନ୍ତି । ସେପଟେ ଋଷିଆର ଜଳବାୟୁ ଓ ଭାରତୀୟ ଜଳବାୟୁ ସମ୍ପୂର୍ଣ୍ଣ ଅଲଗା । ମାର୍ଚ୍ଚ ମାସର ଗୁଳୁଗୁଳି , ଦେହରେ ପ୍ରବଳ ଝାଳ, ଅଟକେଇ ପାରିନି ଏମାନଙ୍କ ରାସ୍ତାକୁ । କୋଉଠି ଋଷିଆର ଥଣ୍ଡା ଜଳବାୟୁ ଆଉ କୋଉଠି ଭାରତୀୟ ଜଳବାୟୁ । ତେବେ ପ୍ରତିକୂଳ ପରିବେଶକୁ ଖାତିର ନ କରି ମହାପ୍ରଭୁ ସାନିଧ୍ୟ ଲାଭ ପାଇଁ ସବୁ କଷ୍ଟକୁ ସହି ନେଉଛନ୍ତି ।
ମହାପ୍ରଭୁ ବିଶ୍ୱନିଅନ୍ତା । ସମଗ୍ର ବିଶ୍ୱ ତାଙ୍କରି କଥାରେ ପରିଚାଳିତ । ସବୁଠି ତାଙ୍କ ପାଇଁ ଭକ୍ତି ଆଉ ପ୍ରେମ,ଏକଥା ଆଉଥରେ ପ୍ରମାଣିତ ହୋଇଛି ।

hiranchal ad1
Leave A Reply

Your email address will not be published.

twenty − 18 =