ହରଭଙ୍ଗା : ବୌଦ୍ଧ ବନ ଖଣ୍ଡରେ ସୁରକ୍ଷିତ ନୁହଁନ୍ତି ବନ୍ୟ ପ୍ରାଣୀ । କିଛିଦିନ ତଳେ ବାଘ, କୁଟୁରା, ସମ୍ବର ଛାଲ ଜବତ ସହ ଶିକାରୀ ମଧ୍ୟ ଗିରଫ ହୋଇଥିଲେ । ତା’ପରେ ଦୁଇ ଦୁଇଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ସହ ଚାଲାଣକାରି ଗିରଫ ଘଟଣା ଜିଲ୍ଲା ତଥା ରାଜ୍ୟରେ ଚହଳ ପଡ଼ିଥିବା ବେଳେ ପୁଣି ସୋମବାର ଦିନ ଭୋର ସକାଳୁ ବୌଦ୍ଧ ବନ ଖଣ୍ଡ ଅଧିନସ୍ଥ ମାଧପୁର ରେଞ୍ଜ ତଳଗାଁ ପଞ୍ଚାୟତ ବଡ଼ ଖଜୁରୀଠାରେ ବନ ବିଭାଗ ଓ ଏସ.ଟି.ଏଫ, ଏବଂ ବନ୍ୟ ପ୍ରାଣୀ ବିଭାଗର ମିଳିତ ଚଢ଼ାଉରେ ଗ୍ରାମର ବିଶ୍ୱାମିତ୍ର ମାଝୀ (୪୫)ଙ୍କୁ ବନ୍ୟ ପ୍ରାଣୀ ଶିକାରୀ ଭାବେ ଗିରଫ କରିବା ସହ ଶିକାରୀ ପାଖରୁ ଏକ କେଜି ଗ୍ରାମର ପୋତା ମୁଣ୍ଡ ହାଡ଼, ଲୋମ ସହିତ ଏକ ଦେଶୀ ବନ୍ଧୁକ ଓ ଶିକାର ଉଦେଶ୍ୟରେ ବ୍ୟବହାର ହେଉଥିବା ୨ଗୋଟି ଟାଙ୍ଗିଆ, ଏକ ଗୋଟି କଟୁରୀ ଜବତ କରିଥିବା ଜଣାପଡିଛି । ଘଟଣାକୁ ନେଇ ବିଭାଗର ମିଳିଥିବା ସୂଚନା ଅନୁଯାଇ ଉକ୍ତ ଗ୍ରାମର ଶିକାରୀ ବିଶ୍ୱାମିତ୍ର ମାଝୀ ଏକ ବାଘ ଶିକାର କରି ବାଘର ପଞ୍ଝାକୁ ବିକ୍ରି ଉଦ୍ଦେଶ୍ୟରେ ଦଶପଲ୍ଲା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଡିଲକରି ବିକ୍ରି କରୁଥିଲା । କୌଣସି ସୂତ୍ରରୁ ଖବର ପାଇ ପୂର୍ବରୁ ଏସମ୍ପର୍କରେ ଏସଟିଏଫ ଟିମ ଗ୍ରାହକକୁ ଦଶପଲ୍ଲା ଅଂଚଳରେ କାବୁ କରିଥିଲା । ଗ୍ରାହକର ପରିଚୟ ଲୁକାୟତ ରଖିଥିବା ବେଳେ ଉକ୍ତ ଗ୍ରାହକ ଶିକାରୀର ସମ୍ପୂର୍ଣ୍ଣ ପରିଚୟ ଦେବାପରେ ଅଧିକ ତଦନ୍ତ ପାଇଁ ମାଧପୁର ରେଞ୍ଜ ବଡ଼ ଖଜୁରୀ ଗ୍ରାମର ଶିକାରୀ ବିଶ୍ୱାମିତ୍ର ମାଝୀକୁ ଗିରଫ କରି ବାଘ ଶିକାର ସମ୍ପୂର୍ଣ୍ଣ ରହସ୍ୟ ଜାଣିବା ସହ ଦଶପଲ୍ଲା ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଛି । ଏହି ତଦନ୍ତରେ ଏସିଏଫ ଆଶିଷ କହଁର, ମାଧପୁର ରେଞ୍ଜର ପ୍ରବୀଣ ମହାକୁଡ଼, ଫରେଷ୍ଟର ସଂସାର ବର୍ଗିଆଙ୍କ ସମେତ ଦଶପଲ୍ଲା ବନ ବିଭାଗ ଓ ବନ୍ୟ ପ୍ରାଣୀ ବିଭାଗ ସାମିଲ ଥିବାନେଇ ବିଭାଗ ପକ୍ଷରୁ ଜଣାପଡିଛି ।