ନବରଙ୍ଗପୁର: ଏନ୍ସିସିର ୧୩ ବାଟାଲିୟନ-ଓଡ଼ିଶା ଶାଖା ତରଫରୁ ନବରଙ୍ଗପୁର ମହାବିଦ୍ୟାଳୟରେ ନବ ନିର୍ମିତ ତାଲିମ୍ ଟ୍ରାକକୁ ଆନୁଷ୍ଠାନିକ ଭାବେ ନବରଙ୍ଗପୁରର ମାନ୍ୟବର ବିଧାୟକ ତଥା ପୂର୍ବତନ ଛାତ୍ର ସଦାଶିବ ପ୍ରଧାନୀଙ୍କ କର କମଳରେ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ୱାଳ, ଏନ୍ସି ସି ଅଧିକାରୀ ଉଜ୍ଜ୍ୱଳ କୁମାର ମହାନନ୍ଦିଆ ଏବଂ ୧୩ ବାଟାଲିୟନର ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଟ୍ରାକଟି ହେବା ଦ୍ୱାରା ଜିଲ୍ଲାରେ ଥିବା ମହାବିଦ୍ୟାଳୟ ଗୁଡ଼ିକର ଏନସିସି ଛାତ୍ର ଛାତ୍ରୀ ମାନେ ଉତ୍ତମ ପ୍ରଶିକ୍ଷଣ ସୁବିଧାରେ ପାଇପାରିବେ ବୋଲି ମାନ୍ୟବର ବିଧାୟକ କହିଥିଲେ । ଭବିଷ୍ୟତରେ ଜିଲ୍ଲା ଏନସିସିର ତଥା ମହାବିଦ୍ୟାଳୟ କ୍ରୀଡାର ବିକାଶ ପାଇଁ ଆବଶ୍ୟକୀୟ ସହଯୋଗ ଦେବାର ପ୍ରତିଶ୍ରୁତି ଦେଇଥିଲେ । ଅତୀତରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ଏନସିସି ଥିବାରୁ ଅନେକ ବୃତ୍ତି ପାଇପାରିଛନ୍ତି ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ । ଏହାପରେ ମହାବିଦ୍ୟାଳୟରେ ଚାଲିଥିବା ମାସିକିଆ ନିଃଶୁକ୍ଳ ଫୁଟବଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଧାୟକ ଯୋଗ ଦେଇ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଫୁଟବଲ୍ ଖେଳର ଉପାଦେୟତା ସଂପର୍କରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ଏହିପରି ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ପ୍ରଧାନୀ ଉଭୟ ଅଧ୍ୟକ୍ଷ ଓ ପ୍ରଶିକ୍ଷକ ଅଶୋକ ପାତ୍ରଙ୍କର ଭୂୟସୀ ପ୍ରଶଂସା କରିଥିଲେ । ଶରୀର ଓ ମନର ଏକାଗ୍ରତା ପାଇଁ କ୍ରୀଡା ଏକ ଉତ୍କୃଷ୍ଠ ମାଧ୍ୟମ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ । ଏହି କର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୨୦ରୁ ଅଧିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରାୟ ୬୦ ଜଣ ଛାତ୍ର ଛାତ୍ରୀ ପ୍ରଶିକ୍ଷଣ ପାଇଁ ଯୋଗ ଦେଇଥିଲେ । ଗଣିତ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡଃ ନୀଳାଚଳ ମିଶ୍ର, ଜିଲ୍ଲା ଯୁବ ରେଡକ୍ରସ ସମ୍ପାଦକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା, ପୂର୍ବତନ ଜାତୀୟ ସେବା ଯୋଜନା ଅଧିକାରୀ ଶମ୍ଭୁ ପ୍ରସାଦ ହୋତାଙ୍କ ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଯୋଗ ଦେଇଥିଲେ । କ୍ରୀଡାର ବିକାଶ ପାଇଁ ଆଗାମୀ ଦିନରେ ଅନେକ କାର୍ଯ୍ୟ କରିବା ପାଇଁ ଯୋଜନା ରହିଥିବା କଥା ଅଧ୍ୟକ୍ଷ ପ୍ରକାଶ କରିଥିଲେ ।