ନୂଆପଡା: ଶ୍ରୀମତୀ ମମତା ମଞ୍ଜରୀ ଥପା ନୂଆପଡା ଜିଲ୍ଲାର ଜଣେ ବିଶିଷ୍ଟ ସମାଜସେବୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ନେତୃତ୍ୱ ନେଉଥିବା ଜଣେ ନେତ୍ରୀ ଭାବରେ ବେଶ ଜଣାଶୁଣା । ଜିଲ୍ଲା ତଥା ଜିଲ୍ଲା ବାହାରେ ସେ ବେଶ ସୁପରିଚିତ । ଯେତେବେଳେ କରୋନା ମହାମାରୀ ପ୍ରଭାବରେ ସମସ୍ତ ଜନସମାଜ ଭୟଭୀତ ଅବସ୍ଥାରେ ଜୀବନ ନିର୍ବାହ କରୁଥିବା ସମୟରେ ସେ ନିଜ ସୁରକ୍ଷା କଥା ଚିନ୍ତା ନକରି ଘର ଘର ବୁଲି ସଚେତନ କରୁଥିଲେ । ହୋମ କ୍ୟୁରେଣ୍ଟାଇନରେ ରହିଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ବାହାରୁ ଆସୁଥିବା ଶ୍ରମିକ ମାନଙ୍କ ପଞ୍ଜିକରଣ କରି ଆଶ୍ରୟସ୍ଥଳକୁ ପଠାଇବା ଭଳି କାର୍ଯ୍ୟ କରୁଥିଲେ । ଏହା ସହିତ ସେ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ଓ ତାଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ସମସ୍ୟାର ସମାଧାନ ଓ ସ୍ୱାବଲମ୍ବୀ କରିବାପାଇଁ ସବୁବେଳେ ଶତଚେଷ୍ଟା କରିଥାନ୍ତି । ତାଙ୍କର ଏହି ସର୍ବ ସ୍ତରୀୟ ସେବା ପାଇଁ ନୂଆପଡା ଜିଲ୍ଲା ପ୍ରଶାସନ ତରଫରୁ ସେବା ସମ୍ମାନ ସହିତ କରୋନା ଯୋଦ୍ଧା ଭାବେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଛି । ନୂଆପଡା ସଦର ସଦଭାବନା ଗୃହ ଠାରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧକ୍ଷା ଡ. ମିନତି ବେହେରା, ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ, ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ରାଘବେନ୍ଦ୍ର ଗୁଣ୍ଡାଲା ରେଡି, ଜିଲ୍ଲା ମଙ୍ଗଳ ଅଧିକାରୀ ମନ କୁମାରୀ ଲେମ୍ବୋ ପ୍ରମୁଖ ଏହି ସମ୍ମାନ ପ୍ରଦାନ ସମୟରେ ଉପସ୍ଥିତ ରହିଥିଲେ । ଏହି ଖବର ଜାଣିବା ପରେ ସମସ୍ତେ ତାଙ୍କୁ ଅଭିବାଦନ ଜଣାଇଛନ୍ତି ।