ମଦ ଦୋକାନ ବନ୍ଦ ଦାବିରେ ତାତିଲେ ମହିଳା, ପଦଯାତ୍ରାରେ ଶହ ଶହ ମହିଳା

0 59

ଫୁଲବାଣୀ,୧୫/୫:- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ବୈରିକୁମ୍ପା ଠାରେ ଥିବା ସରକାରୀ ସ୍ୱୀକୃତିପ୍ରାପ୍ତ ମଦ ଦୋକାନ ବନ୍ଦ ପ୍ରତିବାଦରେ ଅଞ୍ଚଳର ମହିଳାମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଶତାଧିକ ମହିଳା ଓ ଅଞ୍ଚଳର ଜନସାଧାରଣ କେଳାପଡା ପଞ୍ଚାୟତ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମଦ ଦୋକାନ ପାଖରେ ପହଞ୍ଚି ପ୍ରତିବାଦ କରିବାସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଏହି ମଦ ଦୋକାନ ପାଇଁ ଏହି କେଳାପଡା ଅଞ୍ଚଳରେ ଦୀର୍ଘଦିନ ଧରି ବିରୋଧ ଲାଗିରହିଥିବା ବେଳେ ଏହି ମଦ ଦୋକାନକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ଓ ନବିକରଣ ବନ୍ଦ କରିବାପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ଗ୍ରାମସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅଞ୍ଚଳର ମହିଳା ସଂଗଠନ ମାନଙ୍କ ସହ କେଳାପଡା ଓ ଭୃଙ୍ଗିଯୋଡି ପଞ୍ଚାୟତର ସରପଞ୍ଚମାନେ ମଧ୍ୟ ଅବକାରୀ ବିଭାଗ ଠାରୁ ଆରମ୍ଭକରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବହୁବାର ଲିଖିତ ଭାବରେ ଜଣେଇଥିଲେ । ଏହାସହ ଏହି ମଦ ଦୋକାନକୁ ବନ୍ଦ କରିବାପାଇଁ କେଳାପଡା ସରପଞ୍ଚ ଏକ ରିଡ ପିଟିସନ ମଧ୍ୟ ଦାୟର କରିଥିଲେ । କିନ୍ତୁ କନ୍ଧମାଳ ଜିଲ୍ଲାପାଳ ଏହାକୁ ମଧ୍ୟ ବେଖାତିର କରିବାସହ ଅଞ୍ଚଳର ଜଣେ ଆଦିବାସୀ ମହିଳା ସରପଞ୍ଚଙ୍କ ଅନୁରୋଧ ସହ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର ଗ୍ରାମସଭାର ରିପୋର୍ଟକୁ ମଧ୍ୟ ବେଖାତିର କରି ମଦ ଦୋକାନ ମାଲିକଙ୍କ ସହ ସଲାସୁତରା କରି ଲାଇସେନ୍ସକୁ ନବିକରଣ କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ସରପଞ୍ଚ ସ୍ୱର୍ଣ୍ଣଲତା ପ୍ରଧାନଙ୍କ ସହ ଆନ୍ଦୋଳନକାରୀ ମହିଳାମାନେ । ଅନ୍ୟପଟେ ଆଗାମୀ ଦିନରେ ପ୍ରଶାସନ ଏହି ମଦ ଦୋକାନକୁ ବନ୍ଦ ନ କରନ୍ତି ତାହାହେଲେ ଆନ୍ଦୋଳନକୁ ତୀବ୍ରତର କରିବାସହ ଅଞ୍ଚଳର ମହିଳା ସଂଗଠନମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ । ଯଦି କୈାଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତାହାହେଲେ ଜିଲାପାଳ ଦାୟୀ ରହିବେ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

twelve − 5 =