ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ଘଟଣା, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

0 335

ବାଲିଗୁଡ଼ା :କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ନିକଟସ୍ଥ ସିନ୍ଧିପଙ୍ଖାଲ ଗାଁ ମୁରୁମାହା ଜଙ୍ଗଲରେ ଗତକାଲି ସକାଳ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ ହେବା ଫଳରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । କିଛି ସମୟ ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ପୋଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା । ସୂଚନା ପ୍ରକାରେ ଗୁଇନ୍ଦା ସୂଚନା ଆଧାରରେ ସମ୍ପୃକ୍ତ ଅଞ୍ଚଳରେ ଏସ୍‌ଓଜି ଜବାନମାନେ କୁମ୍ବିଂ ଅପରେସନ୍‌ ଚଳାଇଥିଲେ । ଗତକାଲି ସକାଳ ପ୍ରାୟ ୫ଟା ୩୦ମିନିଟ୍‌ ସମୟରେ ସିନ୍ଧିପଙ୍ଖାଲ ନିକଟସ୍ଥ ମୁରୁମାହା ଜଙ୍ଗଲରେ ଏକ ନାଳ ନିକଟରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏସ୍‌ଓଜି ଜବାନଙ୍କୁ ଦେଖି ମାଓବାଦୀ ଜବାନ ଉପରକୁ ଗୁଳି ଚଳାଇବା ପରେ ଜବାନମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ । ଘଟଣାସ୍ଥଳରୁ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ଗଣେଶ୍ୱର ରଣା ନାମକ ଜଣେ ଜବାନ୍‌ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ସେଥିରେ ୩ଟି ବନ୍ଧୁକ, ଗୋଟିଏ ମୋର୍ଟାର, ଗୋଟିଏ ଟିଫିନ୍‌ ବୋମା,ୱାକିଟକି ଚାର୍ଜର, ଇଲେକ୍ଟ୍ରି ତାର, ଷ୍ଟିଲ୍‌ ଟିଫିନ୍‌, ମାଗାଜିନ୍‌, ଔଷଧ,ସର୍ଜିକାଲ୍‌ କିଟ୍‌,ମାଓ ପୋଷାକ, ସାରା ପୋଷାକ, ଚୁଡିଦାର, ମହିଳାଙ୍କ ଅନ୍ତରଙ୍ଗ, ବ୍ଲାଙ୍କେଟ୍‌, ବେଡସିଟ୍‌, ଚପଲ, ଜୋତା,ଷ୍ଟିଲ୍‌ ଓ ଆଲୁମିନିୟମ ବାସନ, ପ୍ଲାଷ୍ଟିକ ବାଲ୍ଟି, ପାଣି ବୋତଲ, ସଫା ସାବୁନ୍‌, ଦେହଲଗା ସାବୁନ୍‌ ଭଳି ବହୁ ସାମଗ୍ରୀ ଜବତ କରିଛି ପୋଲିସ୍‌ । ଅନ୍ୟପଟେ କିଛି ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ତେବେ ଏଯାବତ୍‌ କାହାର ମୃତାହତ ଖବର ପୋଲିସ୍‌ ପକ୍ଷରୁ ସ୍ପଷ୍ଟ ହୋଇପାରିନାହିଁ । ସେପଟେ କିଛିଦିନର ନିରବତା ପରେ କନ୍ଧମାଳରେ ଲାଲ୍‌ ବାହିନୀ କନ୍ଧମାଳରେ ନିଜର ସ୍ଥିତି ଜାହିର କରିବା ସହ ବିଭିନ୍ନ କାଣ୍ଡ ଘଟାଇଥିବା ବେଳେ କନ୍ଧମାଳ ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସାରା ଜିଲ୍ଲାରେ କୁମ୍ବିଂ ଅପରେସନକୁ ଜୋରଦାର କରିଛି କନ୍ଧମାଳ ପୋଲିସ୍‌ ।

hiranchal ad1
Leave A Reply

Your email address will not be published.

eleven − eight =