ହରଭଙ୍ଗା :ବୌଦ୍ଧ ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗର ପୁରୁଣାକଟକ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ହରଭଙ୍ଗା ଠାରେ ଶଗଡିଆ ନାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ହରଭଙ୍ଗା, ବୁକେସିଙ୍ଗା, କୁଡାସିଙ୍ଗା, ଡିଆଁଘାଟ, ସୁରୁଣ୍ଡି ଆଦି ଗ୍ରାମର ୬ଶହ ଏକରରୁ ଉର୍ଦ୍ଧ୍ୱ ଚାଷ ଜମି ଜଳସେଚିତ ହେବା ଦ୍ୱାରା ଚାଷୀ ଉପକୃତ ହେଉଛନ୍ତି । କିନ୍ତୁ ଚଳିତବର୍ଷ ଖରିଫ ଋତୁରେ ବିଭାଗର ଅବହେଳା ଯୋଗୁଁ ଏହି ଚାଷୀମାନେ ପାଣି ପାଇବା ନେଇ ଚିନ୍ତିତ ହୋଇ ପଡିଛନ୍ତି । ପ୍ରକାଶ ଥାଉକି ଏହି ପ୍ରକଳ୍ପର ହରଭଙ୍ଗା ମୁଖ୍ୟ କେନାଲର ୦/୧୭୦୦ ରାଡ଼ି ଅଞ୍ଚଳରେ କେନାଲ ଭିତରେ ପଙ୍କ, ବାଲି, ମାଟି, ବିଭିନ୍ନ ଗୁଳ୍ମ ଜାତୀୟ ଲତା ହେବା ଫଳରେ ପୋତି ହୋଇ ଜଙ୍ଗଲରେ ପରିପୂର୍ଣ୍ଣ ହୋଇ ରହିଛି । ଫଳରେ କେନାଲ ଭିତର ଦେଇ ଜଳ ପ୍ରବାହିତ ସହଜ ନୁହେଁ । ଯଦି କେନାଲରେ ପାଣିଯିବା ସମ୍ଭବ ନୁହେଁ ତାହେଲେ ତଳ ଅଂଚଳ ଚାଷୀ ଏହି କେନଲରୁ କିପରି ପାଣି ମାଡାଇବେ ଏନେଇ ଚିନ୍ତିତ ଚାଷୀ । ବର୍ତ୍ତମାନ ଜୁନ ମାସ ଆରମ୍ଭ, ଆଗକୁ ବର୍ଷା ଋତୁ ପୂର୍ବରୁ ଏହି କେନାଲକୁ ସଫା କରାନଯାଏ ତେବେ ଚାଷୀ ଜମିରେ ପାଣି ମଡାଇବାରୁ ବଞ୍ଚିତ ହେବେ । ଏବାବଦରେ ଚାଷୀ ଭିକାରି ମାଝୀ, ନାକୁ ଦନାୟକ,ଶମ୍ଭୁ ନାଏକ, ନାରାୟଣ ଦନାୟକ, ରାଜୀବ ପ୍ରଧାନଙ୍କ ସମେତ ବହୁ ଚାଷୀ ଉକ୍ତ ବିଭାଗର ଅଧିକାରୀଙ୍କୁ ଜଣାଇଥିବା ପରେ ମଧ୍ୟ କୌଣସି ପଦକ୍ଷେପ ବିଭାଗୀୟ ପକ୍ଷରୁ ଏଦିଗରେ ନିଆଯାଇବଥିବାରୁ ଚାଷୀଭାଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ବୌଦ୍ଧ ଏଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଗୋଚର କରିବା ପାଇଁ ଚାଷୀ ମାନେ ଅନୁରୋଧ କରିଛନ୍ତି । ଯଦି ୧୫ଦିନ ଭିତରେ କେନାଲ ସଫା କରାନଯାଏ ତାହେଲେ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ଚେତନନୀ ମଧ୍ୟ ଦେଇଛନ୍ତି । ଘଟଣା ବାବଦରେ ପୁରୁଣାକଟକ କ୍ଷୁଦ୍ର ଜଳସେଚନ ବିଭଗ ସହକାରୀ ଯନ୍ତ୍ରୀ ଇଂ. ଶ୍ରୀ ମାଝୀ ଙ୍କୁ ପଚାରିବାରୁ ଏ ବାବଦରେ ବୌଦ୍ଧ ଜିଲ୍ଲା କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କୁ ଆଜି ଜଣାଯାଇଛି ଏବଂ ଖୁବ ଶୀଘ୍ର ଏଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।