ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ:୨୭୧କୋଟି ୭ଲକ୍ଷ ଟଙ୍କାର ବଜେଟ୍‌ ପାରିତ

0 208

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୭ ଦିନ ବାକିଥିବା ବେଳେ ଆଜି ନୀଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ ବଜେଟ୍‌ ପାରିତ ହୋଇଥିବା ବେଳେ ଆୟର ସୂତ୍ର ବଢାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ରଥଯାତ୍ରାକୁ ବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ଶେଷ କରିବାକୁ ଆଲୋଚନା ହୋଇଛି ।
ଆଜି ବସିଥିବା ପରିଚାଳନା କମିଟି ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ ୨୭୧କୋଟି ୭ଲକ୍ଷ ଟଙ୍କାର ବଜେଟ୍‌ ପାରିତ ହୋଇଛି । ଖର୍ଚ୍ଚ ଅଟକଳ ରହିଛି ୨୬୨ କୋଟି ୧୬ ଲକ୍ଷ ଟଙ୍କା । ୟୁନିଫର୍ମ ପଲିସିରେ ଶ୍ରୀମନ୍ଦିର ଜମିଜମା ବିକ୍ରି କରି ଆୟବୃଦ୍ଧି ସହ ରାଜ୍ୟରେ ଥିବା ୨୦୦ରୁ ଅଧିକ ପଥରଖଣି, ଅନଲାଇନ ବ୍ୟବସ୍ଥାରେ ଫୋନ୍‌ ପେ ଓ ପେଟିଏମ୍‌ ସହ ଅନୁବନ୍ଧିତ କରାଯାଇ କ୍ୟୁଆର କୋର୍ଡ ସ୍କାନର ବ୍ୟବସ୍ଥା କରାଯିବ । ସେହିପରି ଅଧିକ ହୁଣ୍ଡି ସ୍ଥାପନ କରାଯାଇ ଶ୍ରୀମନ୍ଦିର ଆୟବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ୍‌ ସୂଚନା ଦେଇଛନ୍ତି । ସେହିପରି ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବାକୁ ଗୁରୁତ୍ୱ ଦିଆଯାଇଛି । ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟିବ୍ୟୁଚିତିକୁ ସୁଧାରି ବିଶୃଙ୍ଖଳାକୁ ଏଡାଇବା ପାଇଁ ପଦକ୍ଷେପ ନିଆଯାଇଥିବା ସେ ସୂଚନା ଦେଇଛନ୍ତି ।
ଆଗତ ହୋଇଥିବା ବଜେଟରେ ସେବାୟତଙ୍କ ପରିବାରର ସଦସ୍ୟଙ୍କ ପାଇଁ ୫ କୋଟି ଟଙ୍କାର ସ୍ୱାସ୍ଥ୍ୟବୀମା,ସେବକ ଆବାସ ଯୋଜନାରେ ୩.୫୦କୋଟି, ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ପାଇଁ ୫ କୋଟି, କର୍ପସ ଫଣ୍ଡରେ ୫୦ କୋଟି ଟଙ୍କା ଜମା କରାଯିବ । ବିଭିନ୍ନ ଜିଲ୍ଲାରେ ଥିବା ଖଣିରୁ ୩୦କୋଟି, ହୁଣ୍ଡି ଓ ଡୋନେସନ୍‌ ବାବଦରେ ୩୬ କୋଟି, କର୍ପସ ଫଣ୍ଡ ସୁଧରୁ ୬୦କୋଟି ଟଙ୍କା ଓ ଜମି ଅଧିଗ୍ରହଣ ଓ ଜମି ବିକ୍ରିବଟା ବାବଦରେ ୫୦ କୋଟି ଟଙ୍କା ଆୟ କରାଯାଇଛି । ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ସାରିବା ଏକ ପ୍ରମୁଖ ଚ୍ୟାଲେଞ୍ଜ ଥିବାବେଳେ ଏବେସୁଦ୍ଧା ବାହ୍ୟ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦୁଇଦିନ ଭିତରେ ଶେଷ ହେବ । ତେବେ ବାହ୍ୟ ପରିକ୍ରମା ପ୍ରକଳ୍ପର ୬ ମିଟର ପରିଧି ମଧ୍ୟରେ ଭକ୍ତ ଓ ସେବାୟତଙ୍କ ପ୍ରବେଶ ନେଇ ବ୍ୟବସ୍ଥା ହୋଇଛି । ତେବେ ଏହାଦ୍ୱାରା ରଥଯାତ୍ରା ସମୟରେ ଅସୁବିଧା ସୃଷ୍ଟି ହୋଇପାରେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି । ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଦ୍ୱାରରେ କାର୍ଯ୍ୟ ଶେଷ ନେଇ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏନେଇ ସନ୍ଦେହ ସୃଷ୍ଟି କରିଛନ୍ତି ପରିଚାଳନା କମିଟିର ସଦସ୍ୟ । ତେବେ ଆସନ୍ତା ୧୫ ତାରିଖ ସୁଦ୍ଧା ଭକ୍ତଙ୍କ ପାଇଁ ତଥା ଶ୍ରଦ୍ଧାଳୁଙ୍କ ପାଇଁ ସର୍ବନିମ୍ନ ସୁବିଧା ଶେଷ କରି ହସ୍ତାନ୍ତର କରାଯିବ । ଅନୁମୋଦିତ ବଜେଟରେ ସେବକ ଆବାସ ଯୋଜନା, ଆଦର୍ଶ ଗୁରୁକୂଳ, ରଥଯାତ୍ରା ଖର୍ଚ୍ଚକୁ ପ୍ରାଥମିକତା ଦିଆଯାଇଛି ।
ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧକ୍ଷତା କରିଥିବା ବେଳେ ପୁରୀ ଜିଲ୍ଲାପାଳ, ଏସପି, ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

five × five =