ପାଟଣାଗଡ଼ : ଝିଅକୁ ଡାକ୍ତରଖାନା ନେବାକୁ ଦମ୍ପତି କାରରେ ବାହାରିଥିଲେ । କାରରେ ବସି ମୁଖ୍ୟ ରାସ୍ତାକୁ ପହଞ୍ଚିଲା ପରେ ଗାଡ଼ିରେ ପେଟ୍ରୋଲ ସରିଗଲା । ବାପା ବାହାରକୁ ଆସି କଥା ହେଲା ବେଳକୁ ହଠାତ ଏକ ଆମ୍ବୁଲାନ୍ସ ଆସି ପିଟିଦେଲା । ଘଟଣା ସ୍ଥଳରେ ଚାଲିଗଲା ବାପାଙ୍କ ଜୀବନ…. ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାଟଣାଗଡ଼ ଥାନା-ବଲାଙ୍ଗୀର ରାସ୍ତାର ମାୟାବର୍ହା ଛକ ନିକଟରେ । ଗତକାଲି ରାତ୍ର ୯ଟା ସମୟରେ ଭାଲୁଜୁରୀ ଗାଁର ଖୁସିରାମ ମହାନନ୍ଦ ନିଜ କାରରେ ଝିଅକୁ ବସାଇ ସ୍ତ୍ରୀ ଚୂଡ଼ାପାଲି ଡାକ୍ତରଖାନାକୁ ନେଉଥିଲେ । ଗାଁରୁ ମୁଖ୍ୟ ରାସ୍ତାକୁ ଆସିବା ପରେ ମାୟାବର୍ହା ଛକ ନିକଟରେ ଗାଡିରେ ପେଟ୍ରୋଲ ସରି ଯାଇଥିଲା । ରାସ୍ତା କଡ଼ରେ ଗାଡିକୁ ଠିଆ କରି ଫୋନରେ କଥା ହେଉଥିଲେ । ଠିକ ଏତିକି ବେଳେ ପାଟଣାଗଡ଼ ପଟୁ ଯାଉଥିବା ଏକ ଦ୍ରୁତଗତି ଆମ୍ବୁଲାନ୍ସ ଖୁସିରାମ ଉପରକୁ ଚଢି କାର ପଛ ପଟେ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଖୁସିରାମଙ୍କ ଜୀବନ ଚାଲି ଯାଇଥିବା ବେଳେ ମା ଓ ଝିଅଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ହୋଇଛି । ଖୁସିରାମଙ୍କ ମୃତ୍ୟୁ ପରେ ପରିବାର ସର୍ବହରା ହୋଇପଡିଥିବାରୁ ସ୍ଥାନୀୟ ଲୋକ ବଲାଙ୍ଗୀର- ପାଟଣାଗଡ଼ ରାସ୍ତାକୁ ଅବରୋଧ କରିଥିଲେ । ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେବା ସହ ପରିବାର ଜଣକ ଚାକିରୀ ଦେବାକୁ ଦାବି କରିଥିଲେ । ସକାଳ ୭ ଟାରୁ ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହାନ ଅଟକି ରହିଥିଲା । ପରେ ପାଟଣାଗଡ଼ ଏସଡ଼ିପିଓ ଜ୍ୟୋର୍ତିମୟ ଭୁକ୍ତା ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ ପରିବାର ଲୋକଙ୍କୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଆର୍ଥିକ ସହାୟତା ସହ ବିଭିନ୍ନ ପ୍ରତିଶୃତି ପରେ ରାସ୍ତାରୁ ଓହରିଥିଲେ ଆନ୍ଦୋଳନକାରୀ । ଅନ୍ୟପଟେ ଫେରାର ଆମ୍ବୁଲାନ୍ସ ଡ୍ରାଇଭରକୁ ପୁଲିସ ଗିରଫ କାରି ତଦନ୍ତ କରିଥିବା ପୁଲିସ କହିଛନ୍ତି ।