ବାଲିଗୁଡାରେ ମହା ଆଡ଼ମ୍ବରରେ ବାହୁଡ଼ା ଯାତ୍ରା ପାଳିତ

0 236

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଦିନ ତମାମ ସାମାନ୍ୟ ମେଘୁଆ ଓ ଖରା ପାଗ ମଧ୍ୟରେ ପବିତ୍ର ବାହୁଡ଼ା ଯାତ୍ରା ମହା ଆଡ଼ମ୍ବର ସହ ପାଳିତ ହୋଇ ଯାଇଛି । ପୂର୍ବ ନିର୍ଘଣ୍ଟ ପ୍ରକାରେ ପ୍ରାତଃ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ ଅନୁଷ୍ଠିତ ହୋଇଥିଲା । ଏହାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ ଓ ସକାଳ ଧୂପ, ଖେଚୁଡ଼ି ଭୋଗ ଓ ମଙ୍ଗଳାର୍ପଣ ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରି ତିନୋଟି ରଥରେ ରଥାରୁଢ଼ ପରେ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା । ବାଲିଗୁଡା ସମେତ ଆଖପାଖ ଅଞ୍ଚଳର ବିଭିନ୍ନ ବାଦ୍ୟ, ନୃତ୍ୟ,ଦଳଙ୍କ ନୃତ୍ୟରେ ସମଗ୍ର ପରିବେଶ ଭକ୍ତିମୟ ହୋଇ ଉଠିଥିଲା । ଏଥିରେ ୧୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତିନୋଟି ରଥ ଟଣାଯାଇଥିଲା, ହେଲେ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ହିଁ ଟାଣିଥିଲେ । ହଜାର ହଜାର ଭକ୍ତ ବହୁ ଆନନ୍ଦ ଓ ଉଲ୍ଲାସର ସହିତ ରଥ ଟାଣିଥିଲେ । ସନ୍ଧ୍ୟାରେ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ସନ୍ଧ୍ୟା ଆଳତୀ କରାଯାଇଥିଲା । ମନ୍ଦିର ପରିଚାଳନା ଟ୍ରଷ୍ଟର ଟି. ଶ୍ରୀନିବାସ ରାଓ, ମଧୁ ସୂଦନ ଦାସ, ଜୀବାନନ୍ଦ ମହାରଣା, ସତ୍ୟ ନାରାୟଣ ପାଢ଼ୀଙ୍କ ସମେତ ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ତରଫରୁ ପାନୀୟ ଜଳ, ପଣା ଓ ଭୋଗ ର ବ୍ୟବସ୍ଥା କରାଯାଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ୍‌ ପ୍ରଶାସନ ପକ୍ଷରୁ ସମଗ୍ର ସହରରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

fourteen + 6 =