ଭିକ୍ଷୁକ ଓ ମାନସିକ ବିକାରଗ୍ରସ୍ତଙ୍କୁ ଉଦ୍ଧାର ଓ ଥଇଥାନ ସ୍ୱତନ୍ତ୍ର ଅଭିଯାନ, ପ୍ରଥମ ଦିନ ଉଦ୍ଧାର ହେଲେ ୨୧ଜଣ

0 119

ପୁରୀ: ଚଳିତ ବର୍ଷର ରଥଯାତ୍ରା ସମୟରେ ଆସି ପୁରୀ ସହରର ବିଭିନ୍ନ ଗଳି କନ୍ଦି, ଷ୍ଟେସନ, ବସଷ୍ଟାଣ୍ଡ ଓ ସମୁଦ୍ର କୂଳ ଇତ୍ୟାଦିରେ ଭିକ୍ଷୁକ ଓ ମାନସିକ ବିକାରଗ୍ରସ୍ତ ଲୋକ ରହିଯାଇଛନ୍ତି । ଏମାନଙ୍କୁ ଉଦ୍ଧାର କରି ଥଇଥାନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୨ଦିନିଆ ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ କରାଯାଇଛି । ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶରତ ଚନ୍ଦ୍ର ମହାପାତ୍ର ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ପ୍ରଥମ ଦିନରେ ୨୧ଜଣଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଛି ବୋଲି ପୁରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ଶେଖର ମହାରଣା ସୂଚନା ଦେଇଛନ୍ତି । ସେହି ପରି ରଥଯାତ୍ରା ଗହଳି ଦାଣ୍ଡରେ ଅଧିକ ରୋଜଗାର ଉଦ୍ଦେଶ୍ୟରେ କିଛି ଲୋକ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଲି ଆସୁଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ପୁରୀ ସହର ପାଇଁ ସମସ୍ୟା ସୃଷ୍ଟି କରିଥାନ୍ତି । ଏପରିକି ନିଜ ପରିବାରର ବୃଦ୍ଧ ଲୋକ, ଭିନ୍ନକ୍ଷମ ଓ ମାନସିକ ବିକାର ଗ୍ରସ୍ତ ଲୋକଙ୍କୁ ଆଣି ଜାଣି ଶୁଣି ରଥ ଯାତ୍ରା ଗହଳି ଭିତରେ ନିଜ ଲୋକମାନେ ଛାଡି ଦେଇ ଯାଇଥାନ୍ତି । ତେଣୁ ଏହି ସବୁ ବିଷୟକୁ ଲକ୍ଷ୍ୟ ରଖି ଏଭଳି ସ୍ୱତନ୍ତ୍ର ଡ୍ରାଇଭର ଆୟୋଜନ କରାଯାଇଛି ବୋଲି ଏହି କାର୍ଯ୍ୟକ୍ରମର ପରାମର୍ଶଦାତା ସିଦ୍ଧାର୍ଥ ରାୟ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ସହରର ଗଳି କନ୍ଦିରେ ଘୁରି ବୁଲୁଥିବା ଭିକାରୀ ଓ ମାନସିକ ବିକାର ଗ୍ରସ୍ତ ମାନଙ୍କ ସଂପର୍କରେ ସୂଚନା ଦେବା ପାଇଁ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ୯୮୬୧୪୫୭୨୪୮ ଓ ୯୩୪୮୫୦୬୦୦୭ ଦୁଇଟି ନମ୍ବର ଜାରି କରାଯାଇଛି । ଏହି ନମ୍ୱର୍‌ରେ କଲ୍‌ ଓ ହ୍ୱାଟ ସପ କରି ଉଦ୍ଧାର ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଯେ କେହି ସୂଚନା ଦେଇ ପାରିବେ । ଏହି ସ୍ୱତନ୍ତ୍ର ଅଭିଯାନ ଗୁରୁବାର ଓ ଶୁକ୍ର ବାର ଦୁଇଦିନ ଚାଲିବ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

one × 5 =