ନନ୍ଦାହାଣ୍ଡି : ସ୍ୱଚ୍ଛତା ବିନା ସୁସ୍ଥ ଜୀବନ ଅସମ୍ଭବ, ତେଣୁ ଗାଁ ପରିମଳ ସଫାସୁତୁରା ଅନିବାର୍ଯ୍ୟ । କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଦେଶର ସମସ୍ତ ରାଜ୍ୟ, ଜିଲ୍ଲା ବ୍ଲକ ଓ ପଞ୍ଚାୟତରେ ଚାଲିଛି । ହେଲେ ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତର ଅନେକ ଗ୍ରାମରେ ବିଗତ ଦୁଇ ତିନି ବର୍ଷ ସଫେଇ କାମ ନ ହୋଇ ଆବର୍ଜନାମୟ ହୋଇ ପଡ଼ିରହିଥିଲା ଡ୍ରେନ ସମୂହ । ଅଧିକାଂଶ ଗ୍ରାମର ନାଳ ନର୍ଦ୍ଦମା ଆବର୍ଜନାରେ ପୋତି ହୋଇ ରହିଥିଲା । ଦୀର୍ଘ ବର୍ଷ ହେବ ଆବର୍ଜନାରେ ଭରି ହୋଇ ରହୁଥିବା ଯୋଗୁଁ ରାସ୍ତା ଉପରେ ନର୍ଦ୍ଦମା ପାଣି ବହିଯାଉଥିଲା । ସ୍ଥାନୀୟ ବାସିନ୍ଦା ପଞ୍ଚାୟତ କାର୍ଯ୍ୟାଳୟକୁ ଅବଗତ କଲେ ସୁଦ୍ଧା କୌଣସି ଫଳ ହେଉ ନଥିଲା । ବର୍ଷା ଋତୁ ପହଞ୍ଚିବା ଯୋଗୁଁ ଝାଡ଼ାବାନ୍ତି ମ୍ୟାଲେରିଆ ଓ ହଇଜା ଭଳି ମହାମାରୀ ବ୍ୟାପିବାର ଆଶଂକା ରହୁଥିଲା । ବିଗତ ବର୍ଷ ବ୍ଲକର ଖଡିଆଗୁଡା, ପିତା କୁମୁଲି ଓ ମାଳୀଗୁଡାର କିଛି ସାହିରେ ଝାଡ଼ାବାନ୍ତି ବ୍ୟାପିଥିଲା । ଖବର ପ୍ରସାରଣ ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତର ନାଳ ନର୍ଦ୍ଦମା ସଫେଇ କାମ ଆରମ୍ଭ ହୋଇଛି । ନିଜେ ବିଡ଼ିଓ ଦହଣା, ମାଳୀଗୁଡା, ଡଙ୍ଗରଭେଜା ପଞ୍ଚାୟତ ସହ ବିଭିନ୍ନ ପଞ୍ଚାୟତ ଗସ୍ତ କରି ନାଳ ନର୍ଦ୍ଦମା ସଫେଇ କରାଇବା ସହ କାର୍ଯ୍ୟ ଗୁଡ଼ିକର ତଦାରଖ କରିଥିଲେ ।