ଆଭାବୀ ବର୍ଷାରେ ଚାଷୀ ହତାଶ, ବ୍ଲକର ୮୦ % ଜମି ପଡିଆ

0 99

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ମୌସୁମୀ ଆରମ୍ଭରୁ ଧୋକା ଦେବାରୁ ଜୁନ୍‌ରେ ବର୍ଷା ପରିମାଣ କମିଛି । ଜୁଲାଇ ବେଳକୁ ସ୍ଥିତିରେ ପରିବର୍ତ୍ତନ ହେବ ବୋଲି ଆଶା ରହିଥିଲା କିନ୍ତୁ ମାସର ପ୍ରଥମ ୧୦ ଦିନ ବି ବର୍ଷା ଉଭାନ ହୋଇଯାଇଛି । ପାଣିପାଗ ପରିବର୍ତ୍ତନର ସାଂଘାତିକ ପ୍ରଭାବ ଏମିତି ଯେ, ଶ୍ରାବଣରେ ଅନୁଭୂତ ହେଉଛି ଗ୍ରୀଷ୍ମ ଲହର । ଶିଳ୍ପ ବିହୀନ ନବରଙ୍ଗପୁର ଜିଲ୍ଲାରେ ଚାଷ ହିଁ ଏକମାତ୍ର ଜୀବିକା । କିନ୍ତୁ ନଦୀ ନାଳ ପରିଚାଳନାରେ ସରକାରଙ୍କ ବିଫଳତା ଏବଂ ଜଳସେଚନ ପ୍ରକଳ୍ପ ନିର୍ମାଣ କରିବାରେ ପ୍ରଶାସନର ଉଦାସୀନତା ଚାଷୀଙ୍କୁ ଚିନ୍ତିତ କରୁଛି । ତଥାପି ପ୍ରକୃତିର ଆଶୀର୍ବାଦ ଯୋଗୁ ଧାନ ସହ ମକା ଏବଂ ଆଖୁ ଫସଲ ପ୍ରଚୁର ପରିମାଣରେ ହେଉଛି । ତେବେ ଚଳିତ ବର୍ଷ ପ୍ରକୃତି କୋପ କରିବାରୁ ସ୍ଥିତି ଅଧିକ ଜଟିଳ ହୋଇଛି । ଚଳିତ ବର୍ଷ ନନ୍ଦାହାଣ୍ଡି ବ୍ଲକରେ ୧୪ ,୦୬୧ ହେକ୍ଟର ଜମିରେ ଧାନ ଚାଷ ପାଇଁ କୃଷି ବିଭାଗ ଲକ୍ଷ୍ୟ ରଖିଥିଲା । ତେବେ ଜୁନ୍‌ ମାସରେ ହାରାହାରି ୮୯ ମିମି ବର୍ଷା ହେବାପରେ ଜୁଲାଇ ମାସରେ ଆଦୌ ବର୍ଷା ନାହିଁ କହିଲେ ଚଳିବ । ଜୁଲାଇ ୫ ରୁ ୮ତାରିଖ ମଧ୍ୟରେ ସ୍ୱଳ୍ପ ବୃଷ୍ଟିପାତ ହାରହାରି ୨୪ ମିମି ବର୍ଷା ହେଇଥିଲା । ଗତବର୍ଷ ଜୁନ୍‌ରେ ବର୍ଷା କମିଥିଲେ ସୁଦ୍ଧା ଜୁଲାଇ ମାସର ହାରାହାରି ୪୦୦ ମିମି ବର୍ଷା ନିଅଣ୍ଟକୁ ଭରଣା କରିଥିଲା । ଚଳିତ ବର୍ଷ ଜମି ପୁରା ଶୁଖିଲା ରହିଥିବାରୁ ୩ରୁ ୪ଦିନ ମଧ୍ୟରେ ପ୍ରବଳ ବର୍ଷା ନହେଲେ ତଳି ପୋଡିଯିବ ବୋଲି ଚାଷୀ କହିଛନ୍ତି । ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିବା ବ୍ଲକର ୮୦ ପ୍ରତିଶତ ଜମି ପଡିଆ ପଡିଛି । ବଳକା ୧୫ପ୍ରତିଶତ ଜମିରେ ଉଠା ଜଳସେଚନ ପ୍ରକଳ୍ପ କିମ୍ବା ନଦୀ ଓ ଜଳାଶୟ ଯୋଗୁ ଚାଷ କାର୍ଯ୍ୟ ସାମାନ୍ୟ ଆଗେଇଛି । ବର୍ଷା ଅଭାବ କେବଳ ପରିବେଶକୁ ପ୍ରଭାବିତ କରିନାହିଁ, ଆଗକୁ ଉତ୍ପାଦନକୁ ମଧ୍ୟ ପ୍ରଭାବିତ କରିବ ବୋଲି କୃଷି ବିଶେଷଜ୍ଞ କହିଛନ୍ତି । ବ୍ଲକର ମୋଟ ଜମିର ପ୍ରାୟ ୭୦ପ୍ରତିଶତ ଜମି ଢିପ ଓ ମଧ୍ୟମ ଧରଣର ଜମି ହୋଇଥିବାରୁ ବର୍ଷା ପାଣି ବ୍ୟତୀତ ଚାଷୀଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନାହିଁ ।

hiranchal ad1
Leave A Reply

Your email address will not be published.

nineteen + nine =