ଫୁଲବାଣୀ :ଭାରତୀୟ ମଜଦୁର ସଂଘ (ବିଏମ ଏସ)୬୯ତମ ପ୍ରତିଷ୍ଠା ଦିବସ ହାଟପଦା ମାଆ ନାରାୟଣୀଙ୍କ ସଭଗୃହରେ ଜିଲ୍ଲା ସଭାପତି ଅଶୋକ ପରିଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ୧୯୫୫ ମସିହାରେ ଦନ୍ତପନ୍ତ ଠେଙ୍ଗଡଙ୍କ ପୌରୋହିତ୍ୟରେ ଭୋପାଳ ଠାରେ ବିଏମଏସର ପ୍ରତିଷ୍ଠା ହୋଇଥିଲା । ଲୋକମାନ୍ୟ ବାଲଗଙ୍ଗା ଧର ତିଳକଙ୍କ ଜନ୍ମ ଦିନରେ ବିଏମଏସର ପ୍ରତିଷ୍ଠା କରାଯାଇଥିଲା । ଶ୍ରମିକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜନୈତିକ ଦଳରୁ ଉର୍ଦ୍ଧ୍ୱରେ ରହି ଏହି ସଂଗଠନ ସମଭାବାପନ୍ନ ବ୍ୟକ୍ତିଙ୍କୁ ନେଇ ଗଠନ କରାଯାଇଛି । ଦନ୍ତପନ୍ତ ଠେଙ୍ଗଡ ୧୯୨୦ ମସିହା ନଭେମ୍ବର ୧୦ତାରିଖରେ ମହାରାଷ୍ଟ୍ରର ୱାର୍ଦ୍ଧା ଠାରେ ଜନ୍ମ ଗହଣ କରିଥିଲେ ଓ ୨୦୦୪ଅକ୍ଟୋବର ୧୦ ତାରିଖରେ ମହାନ ବ୍ୟକ୍ତିଙ୍କ ମହାପ୍ରୟାଣ ହୋଇଥିଲା । ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରୀ ନୁହେଁ ଅନ୍ୟମାନଙ୍କ ଭଳି ସୁଖ ସ୍ୱାଛାନ୍ଦ୍ୟରେ ବଞ୍ଚିବା ଭଳି ମଜୁରୀ ଦେବାକୁ ବିଏମଏସ ଦାବୀ କରିବା ସହ ଆଉଟ ସୋର୍ସିଂ ଓ ଠିକାଦାର ପ୍ରଥା ଉଚ୍ଛେଦ ପାଇଁ ଲଢେ଼ଇ କରିଆସୁଛି । ଆଜିର ପ୍ରତିଷ୍ଠା ଦିବସରେ ବିଏମ ଏସର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ପାତ୍ର ଏହି ଅବସରରେ ବକ୍ତା ଭାବେ ଯୋଗଦେଇ ବିଏମଏସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କନ୍ଧମାଳ ଜିଲ୍ଲା ଯୋଗାଣ ଅଧିକାରୀ ଅନାଥ ଚରଣ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମନୀତି ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଘ ଚାଳକ ରମେଶ ସାହୁ, କନ୍ଧମାଳ ମିଡିଆ ଫୋରମର ସଭାପତି ସନ୍ତୋଷ କୁମାର ଦିଗାଲ, ସାଧାରଣ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଶ୍ରମିକ ମାନଙ୍କ ସମସ୍ୟାସହିତ ଗଣମାଧ୍ୟମ ସବୁବେଳେ ରହିଛି ବୋଲି କହିଥିଲେ । ଏହି ଅବସରରେ ଶ୍ରମିକ ନେତା ବିନୋଦ ନାୟକ, ରବୀନ୍ଦ୍ର ବେହେରା ଓ ବ୍ରହ୍ମାନନ୍ଦ ବେହେରା ପ୍ରମୁଖଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ, ଓ ବୈଦ୍ୟନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକାରୀ ସଭାପତି ଗୋପାଳ ବେହେରା ଶେଷରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।