ପୁରୀ: ପୁରୀ ଚକ୍ରତୀର୍ଥ ରୋଡରେ ଦବିଲା ରାସ୍ତା । ନିମ୍ନମାନର କାମ ହୋଇଥିବାରୁ ପ୍ରାୟ ୫ ଫୁଟ ରାସ୍ତା ଦବି ଯାଇ ବିରାଟ ଖାଲ ସୃଷ୍ଟି ହୋଇଛି । ଯାହାଫଳରେ ଗମନାଗମନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଚକ୍ରତୀର୍ଥ ରୋଡ୍ ଏକ ସମ୍ବେଦନଶୀଳ ଜନଗହଳିପୂର୍ଣ୍ଣ ରାସ୍ତା ହୋଇଥିବା ବେଳେ ଅନେକ ପର୍ଯ୍ୟଟକ ଏହି ବାଟ ଦେଇ ଯାତାୟତ କରିଥାନ୍ତି । ତେବେ ଆଜି ସକାଳୁ ଏକ ବସ୍ ଯାତ୍ରୀ ନେଇ ଯିବା ସମୟରେ ରାସ୍ତା ଦବି ଯିବା ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ବସରେ ଥିବା ଯାତ୍ରୀ । ତେବେ ପୂର୍ତ୍ତବିଭାଗ ତରଫରୁ ଏହି ରାସ୍ତା ନିର୍ମାଣ ହୋଇଥିବା ବେଳେ ଏହାକୁ ନିମ୍ନମାନର କାମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବି । ସକାଳ ୧୦ଟାରୁ ଏ ଘଟଣା ଘଟିଥିଲେ ମଧ୍ୟ ଅପରାହ୍ନ ୨ଟା ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ସେଠାକୁ ଆସିନଥିବା ଅଭିଯୋଗ ହୋଇଛି । ତେଣୁ ଯଥାଶୀଘ୍ର ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ତିଆରି କରିବାକୁ ସବୁରି ମହଲରେ ଦାବି ଉଠିଥିବା ବେଳେ ଉଭୟପଟୁ ରାସ୍ତାକୁ ସମୁଦ୍ରକୂଳ ଥାନା ପୋଲିସ ପକ୍ଷରୁ ସିଲ୍ କରାଯାଇଛି । ସେପଟେ ରାସ୍ତା ପାର୍ଶ୍ୱରେ ହୋଟେଲ୍ କରି ଚଳୁଥିବା ବେପାରୀ ମାନଙ୍କର ବେପାର ଠପ୍ ମଧ୍ୟ ହୋଇଯାଇଛି ।