ନବରଙ୍ଗପୁର ଜିଲ୍ଲାପାଳଙ୍କ ଜିଲ୍ଲା ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

0 148

ନବରଙ୍ଗପୁର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଅଶୋକ ମେହେଟ୍ଟା ସଭା ଗୃହରେ ଆଜି ଜିଲ୍ଲାସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକମାନେ ଜିଲ୍ଲାପାଳଙ୍କୁ ଭେଟି ନିଜ ନିଜର ବ୍ୟକ୍ତିଗତ ଓ ସାମୂହିକ ଆପତ୍ତି ଅଭିଯୋଗ ଜଣାଇବା ପାଇଁ ଆସିଥିବା ୬୦ ଜଣଙ୍କର ନାମ ପଞ୍ଜୀକରଣ କରାଯାଇଥିଲା, ସେଥିମଧ୍ୟରୁ ବ୍ୟକ୍ତିଗତ ଆପତ୍ତି ଅଭିଯୋଗ ୫୦ ଗୋଟି ରହିଥିବା ବେଳେ ୧୦ ଗୋଟି ସାମୂହିକ ରହିଥିଲା । ଏଥିରେ ଜମି ବିବାଦ, ପାରିବାରିକ ବିବାଦ, ଜମି ଜବର ଦଖଲ, ପ୍ରଧାନମନ୍ତ୍ରୀ ଆବାସ, କମ୍ୟୁନିଟି ହଲ୍‌ ନିର୍ମାଣ, ରାସ୍ତା ନିର୍ମାଣ, ନିଯୁକ୍ତି, ଜମି ଅଧିଗ୍ରହଣ ଅନୁକମ୍ପା ରାଶି, ଡାକ୍ତରୀ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ, ଫସଲ ନଷ୍ଟର ସହାୟତା ପ୍ରଦାନ, ଦସରାପଦା ରାସ୍ତା କାମ ବର୍ଷା ଦିନରେ ବନ୍ଦ ରଖିବା ଇତ୍ୟାଦିର ଆପତ୍ତି ଅଭିଯୋଗ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଶୁଣାଣି କରି ଏହାର ସମାଧାନର ଆବଶ୍ୟକ ପଦକ୍ଷେପ ତୁରନ୍ତ ନେବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶିବିରରେ ସାତ ଗୋଟି ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ସାମାଜିକ ସୁରକ୍ଷା ସହାୟତା ବାବଦକୁ ତିନି ଜଣଙ୍କୁ ବିବାହକାଳୀନ ସହାୟତା ରାଶି ବାବଦକୁ ପ୍ରତ୍ୟେକଙ୍କୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ସମୁଦାୟ ସାତ ଲକ୍ଷ ପଚାଶ ହଜାର ଟଙ୍କାର ଚେକ୍‌ ଜିଲ୍ଲାପାଳ ଡଃ ମିଶ୍ରଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।
ଏହି ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଏସ୍‌ .ସୁଶ୍ରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀମତୀ ଅନ୍ୟା ଦାସ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ପିଏ ଆଇଟିଡିଏ, ରାଜୀବ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଏଡିଏମ୍‌ଓ, ଡା.ସୁକାନ୍ତ କୁମାର ଶତପଥୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

sixteen − 12 =