ପୁରୀ : ଶନିବାରଠାରୁ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଏଥି ପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଚି ମହାପ୍ରଭୁ ଝୁଲଣ ଯାତ୍ର ଦେଖିବା ପାଇଁ । ତେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ (ଦ୍ୱିତୀୟ)ଙ୍କ ସମୟରେ ଏହା ଶ୍ରୀମନ୍ଦିରରେ ପ୍ରଥମେ ପାଳନ କରାଯାଇଥିଲା । ଶ୍ରୀମନ୍ଦିର ଭିତର ବେଢ଼ାର ଦକ୍ଷିଣ ପଟେ ମୁକ୍ତି ମଣ୍ଡପ ନିକଟରେ ଝୁଲଣ କୁଞ୍ଜ ନିର୍ମିତ ହୋଇଥାଏ । ୪୫ ଫୁଟ ଲମ୍ବ ଓ ପନ୍ଦର ଫୁଟ ଉଚ୍ଚତା ବିଶିଷ୍ଟ ଏହି କୁଞ୍ଜଟିର ଛାଞ୍ଚ କାଠରେ ହୋଇଥିବା ବେଳେ ଏହାକୁ ଜରି, ସୋଲ ଓ କପଡ଼ାରେ ସଜ୍ଜିତ କରାଯାଇଥାଏ । ଏହି ଝୁଲା ସହ ଗୋଟିଏ ଦଉଡ଼ି ଲାଗିଥାଏ, ଯାହାକୁ ଟାଣିଲେ ଝୁଲା ସହ ପ୍ରତିମା ତ୍ରୟ ଝୁଲନ୍ତି । ମଧ୍ୟାହ୍ନ ଧୂପ ନୀତି ପରେ ଶ୍ରୀମନ୍ଦିର ଦକ୍ଷିଣ ଘର ବାରଣ୍ଡାରେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ବେଶ କରାଯାଇ ଭୋଗ ଅର୍ପଣ ହୁଏ । ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଦିଆଯିବା ପରେ ତିନିଜଣ ମହାଜନ ସେବକ (ବିମାନ ବଡୁ ସେବାୟତ) ପ୍ରତିମାମାନଙ୍କୁ ଜଗମୋହନ ଓ ବଟଦ୍ୱାର ଦେଇ ଝୁଲଣ କୁଞ୍ଜର ଭିତର ଝୁଲାରେ ବିଜେ କରାନ୍ତି ।ଝୁଲଣରେ ପଞ୍ଚେପଚାର ପୂଜା ଖଇକୋରା ଭୋଗ କରାଯିବା ପରେ ରତ୍ନସିଂହାସନସ୍ଥ ବିଗ୍ରହମାନଙ୍କର ଚନ୍ଦନଲାଗି ସମୟ ଯାଏ ପ୍ରତିମାମାନେ ଏହି ଝୁଲଣରେ ଅବସ୍ଥାନ କରନ୍ତି । ତାହା ପରେ ପିତୁଳା ଗୁଡ଼ିକୁ ଫେରାଇ ନିଆଯାଏ । ଏକାଦଶୀ ଦିନ ମଦନମୋହନଙ୍କ ବେଢ଼ା ପରିକ୍ରମା ସ୍ୱାଭାବିକ ଭାବରେ ଅନୁଷ୍ଠିତ ହୋଇ, ପରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ଝୁଲଣ ମଣ୍ଡପକୁ ବିଜେ କରାଯାଏ । ଶେଷଦିନ ଘଣ୍ଟି, ଶଙ୍ଖ ସହ ପଞ୍ଚେପଚାର ପୂଜା ଓ ବନ୍ଦାପନା କରାଯିବା ପରେ ବେଢ଼ାବୁଲି ସିଂହାସନରେ ବିଜେ ହୁଅନ୍ତି ।
ସଙ୍ଗୀତ, ବାଦ୍ୟ ଓ ନୃତ୍ୟ ମୁଖର ଝୁଲଣ ଯାତ୍ରାରେ ସୁସଜ୍ଜିତ ଦୋଳିରେ ରାଧା ଦାମୋଦରଙ୍କୁ ଦର୍ଶନ କରିବାପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ପୁରୀରେ ଭିଡ଼ ଜମାନ୍ତି । କୀର୍ତ୍ତନ, ଭଜନରେ ମନ୍ଦିର ଉଲ୍ଲସିତ ହୋଇଉଠେ । ଏହା ଶ୍ରୀମନ୍ଦିର ସହ ପ୍ରାୟ ଅଧିକାଂଶ ମଠରେ ପାଳନ କରାଯାଇଥାଏ ।