ପୁରୀ : ପୂର୍ଣ୍ଣ ଟ୍ରାଏଲରେ ରନ କରିଛି ରାଜ୍ୟରେ ଗଡିବାକୁ ଥିବା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ଆଜି ଭୋର ୫ଟାରୁ ଟ୍ରାଏଲ ରନ ଆରମ୍ଭ କରିଛି ଏହି ସେମି ହାଇସ୍ପିଡ଼ ଟ୍ରେନ । ପ୍ରାୟ ୬ ଘଣ୍ଟାରେ ରାଉରକେଲା ପହଁଚିବାକୁ ଥିବା ଏହି ଏକ୍ସପ୍ରେସ ଟ୍ରେନଟି ପରେ ଅହରାହ୍ଣ ୨ଟା ୧୦ରେ ରାଉରକେଲାରୁ ପୁରୀ ଅଭିମୁଖେ ବାହାରିବ । ଆସନ୍ତା ସେପ୍ଟେମ୍ବର ୩୦ରେ ଏହି ଏକ୍ସପ୍ରେସ ଟ୍ରେନଟି ଗଡିବାକୁ ଯାଉଥିବା ବେଳେ ଏହି ରୁଟିନରେ ହିଁ ଯିବା ଆସିବା କରିବ । ଟ୍ରାଏଲ ରନ ଅବସରରେ ବନ୍ଦେ ଭାରତ ଏକ୍ସପ୍ରେସ ଖୋର୍ଦ୍ଧା ରୋଡ, ଭୁବେନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, କେରଜାଙ୍ଗ, ସମ୍ବଲପୁର ସିଟି, ଝାରସୁଗୁଡା ଷ୍ଟେସନରେ ୨ ମିନିଟ ଲେଖାଏଁ ରହିବ, କେବଳ ଭୁବନେଶ୍ୱରରେ ୫ମିନିଟ ରହିବ ଏକ୍ସପ୍ରେସ ଟ୍ରେନ । ଚଳିତ ବର୍ଷ ମେ’ ମାସ ୧୮ ତାରିଖରେ ପୁରୀରୁ-ହାୱଡା ପର୍ଯ୍ୟନ୍ତ ଗଡିଥିଲା ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ । ଯାହାକୁ ଭର୍ଚୁଆଲରେ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗଡିବାକୁ ଯାଉଛି । ପୂର୍ବରୁ ଚଳିତ ସେପ୍ଟେମ୍ବର ୧୧ରେ ପୁରୀରୁ ତାଳଚେର ପର୍ଯ୍ୟନ୍ତ ଟ୍ରାଏଲ ରନ ନେଇଥିଲା ରାଜ୍ୟରେ ଗଡିବାକୁ ଥିବା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ।