ବାଲିଗୁଡ଼ା: ଚାରି ବର୍ଷର ଝିଅକୁ ହତ୍ୟା କରି ଜଙ୍ଗଲରେ ପୋତିଦେଲା ପିଶାଚି ମା’ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ଗ୍ରାମରେ । ଖବରପାଇ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସାରଙ୍ଗଡ଼ ଥାନା ପୋଲିସ୍ ପହଁଚି ମାଟି ତଳୁ ଚାରି ବର୍ଷର ଝିଅର ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ପୋଲିସ୍ । ଅନ୍ୟପଟେ ହତ୍ୟାକାରୀ ମାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ସୂଚନା ପ୍ରକାରେ ଗୁଟିଙ୍ଗିଆ ଗ୍ରାମର ରାକେଶ ଦଣ୍ଡିଆ ନାମକ ଜଣେ ବ୍ୟକ୍ତି ବିବାହର କିଛି ଦିନ ବେଶ ଖୁସିରେ ଚଳିବା ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ପରେ ସ୍ୱାମୀ ସ୍ତ୍ରୀ ପ୍ରାୟ ୪ ବର୍ଷ ହେବ ଅଲଗା ରହୁଥିବା ଜଣାପଡ଼ିଛି । ହେଲେ ଶନିବାର ଦିନ ମାଁ ପଦ୍ମିନୀ ଦଣ୍ଡିଆ ନିଜ ୪ ବର୍ଷର ଝିଅ ସୁରେଖା ଦଣ୍ଡିଆକୁ ନିଜ ହାତରେ ମାରି ଗାଁ ନିକଟସ୍ଥ ବାଡ୍ରିମୁଣ୍ଡା ଜଙ୍ଗଲରେ ପୋତିଦେଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇ ସାରଙ୍ଗଡ଼ ପୋଲିସ୍ ଏହାର ସନ୍ଧାନ କରିଥିଲେ ଏବଂ ଆଜି ମାଟି ତଳୁ ୪ ବର୍ଷର ନାବାଳିକା ଝିଅର ମୃତ ଦେହ ଉଦ୍ଧାର କରିଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ହତ୍ୟାକାରୀ ମା ପଦ୍ମିନୀ ଦଣ୍ଡିଆକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରିବା ସହ ସାରଙ୍ଗଡ଼ ଥାନା ଟେଷ୍ଟ ନଂ ୧୨୬/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛନ୍ତି ଥାନା ଅଧିକାରୀ ବଧୁଲତା ବିଶ୍ୱାଳ ।