ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

0 79

ପୁରୀ : କୃଷି ଓ କୃଷକର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସେଥିପାଇଁ ସରକାର ବଜେଟରେ ସର୍ବାଧିକ ଆର୍ଥିକ ବ୍ୟବସ୍ଥା କୃଷି ପାଇଁ କରିଛନ୍ତି । ଏହାର ଭରପୁର ସୁବିଧା କୃଷକ ବନ୍ଧୁ ମାନଙ୍କ ନିକଟରେ ପହଞ୍ଚାଇବାକୁ କୃଷି ବିଭାଗର ଅଧିକାରୀ ଓ କର୍ମଚାରୀ ଯତ୍ନବାନ ହେବାକୁ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ପରାମର୍ଶ ଦେଇଛନ୍ତି । ଆଜି ଅପରାହ୍ନରେ ଶରଧାବାଲି ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ୫ଦିନିଆ ପୁରୀ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ବେହେରା ଆମ ରାଜ୍ୟ ଲଗାତାର କୃଷି କର୍ମଣ ପୁରସ୍କାର ପାଇ ଚାଲିଛି । ଏହା ଚାଷୀ ଭାଇ ଭଉଣୀ ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ସକ୍ରିୟ ସହଯୋଗ ଓ କୃଷକ ମାନଙ୍କ ଉଦ୍ୟମ ର ଫଳ ।ଯନ୍ତ୍ରପାତି ପାଇଁ ରିହାତି ଦିଆଯାଉଛି । ତେବେ ଏହାର ଉପଯୋଗ ପାଇଁ କୃଷି ଅଧିକାରୀ ମାନେ କୃଷକ ମାନଙ୍କୁ ପ୍ରଶିକ୍ଷିତ ଦେଇ ସକ୍ଷମ କରିବାକୁ ପରାମର୍ଶ ଦେଇଥିଲେ ।
ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ ମେସିନ ମାଧ୍ୟମରେ ଚାଷ ପ୍ରଣାଳୀ କୃଷିକୁ ଏକ ନୂତନ ଦିଶା ଦେଇଛି । ଏଥିପ୍ରତି କୃଷକମାନଙ୍କୁ ଆକୃଷ୍ଟ କରିବା ସହ ଏହାର ଉପଯୋଗ ସମ୍ପର୍କରେ ସଚେତନ କରିବାକୁ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଆମ ଦେଶ ଓ ରାଜ୍ୟ କୃଷି ପ୍ରଧାନ ଅଞ୍ଚଳ ଭାବେ ପରିଚିତ । କୃଷି ଓ କୃଷକକୁ ସହାୟତା ପାଇଁ ସରକାର ବିବିଧ ଯୋଜନା କରିଛନ୍ତି ।
ଉନ୍ନତ ଓ ବୈଜ୍ଞାନିକ ପଦ୍ଧତିରେ ଚାଷ ଯୋଗୁ କୃଷି ରେ ଅଭିବୃଦ୍ଧି ଘଟିଛି ଓ ଉତ୍ପାଦନ ବୃଦ୍ଧି ପାଇବା ଶୁଭ ସଂକେତ । ଏହାକୁ ଆହୁରି ଅଧିକ ଅଗ୍ରଗତି ଆମ ସମସ୍ତଙ୍କ ଉଦ୍ୟମ ରେ ସମ୍ଭବ ହୋଇ ପାରିବ ବୋଲି କହିଥିଲେ । କୃଷି ଅଧିକ୍ଷଣ ଯନ୍ତ୍ରୀ ଜଗବନ୍ଧୁ ରାଉତ, ନିର୍ବାହୀ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ପରିଡା ପାରମ୍ପରିକ ଚାଷ ପଦ୍ଧତି ଓ ଯନ୍ତ୍ରପାତି ପରିବର୍ତ୍ତେ ବୈଜ୍ଞାନିକ କୃଷି ପ୍ରଣାଳୀ ଓ ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ୱାରା ଚାଷ ସହଜ ହେବା ସହ କୃଷି ଶ୍ରମିକ ଅଭାବକୁ ପୂରଣ କରାଯାଇ ପାରୁଛି ବୋଲି କହିଥିଲେ । ଏହି ମେଳାରେ କୃଷକ ମାନଙ୍କୁ ବିଭିନ୍ନ ଆଧୁନିକ ଯନ୍ତ୍ରପାତିର ପ୍ରଦର୍ଶନ, ତାହାର ଉପଯୋଗ ଓ ଆଗ୍ରହୀ କୃଷକ ମାନଙ୍କୁ ବିକ୍ରୟର ବ୍ୟବସ୍ଥା କରାଯାଇଛି । ମେଳାରେ ପ୍ରାୟ ୪୫ ଟି ଷ୍ଟଲ ହେବା ସହ କୃଷକ ମାନଙ୍କ ସହ ଆଲୋଚନା ଚକ୍ର, ସେମାନଙ୍କ ସମସ୍ୟା, ଆବଶ୍ୟକତା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯିବା ବ୍ୟବସ୍ଥା କରାଯାଇଛି । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମନୋଜ କୁମାର ମହାନ୍ତି ଏଥିରେ ଅଧ୍ୟକ୍ଷତା କରି ସମସ୍ତଙ୍କୁ ସ୍ୱାଗତ କରିବା ସହ ଯନ୍ତ୍ରପାତି ଉପଯୋଗ ଦ୍ୱାରା ସମୟ ଓ ଅର୍ଥ ସଞ୍ଚୟ ର ସଚେତନତା ସମସ୍ତ କୃଷକ ବନ୍ଧୁ ମାନଙ୍କ ନିକଟରେ ପହଞ୍ଚାଇବା ଏହି ମେଳାର ପ୍ରକୃତ ଉଦ୍ଦେଶ୍ୟ ବୋଲି କହିଥିଲେ । ଚଳିତ ବର୍ଷ ଜିଲ୍ଲା ପାଇଁ କୃଷି ଯନ୍ତ୍ରପାତି ବିକ୍ରୟର ଧାର୍ଯ୍ୟ ଲକ୍ଷ୍ୟ ୧୦ କୋଟି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮ କୋଟି ୬୮ ଲକ୍ଷ ଟଙ୍କାର ଯନ୍ତ୍ରପାତି ବିକ୍ରୟ ହୋଇ ଥିବା ବେଳେ ଚଳିତ ମେଳାରେ ଏହାର ଲକ୍ଷ୍ୟ ପୂରଣ ହୋଇ ପାରିବ ବୋଲି କୃଷି ବିଭାଗ ଆଶା କରିଛି । କୃଷି ଯନ୍ତ୍ରପାତିରେ ପୁରୁଷ ଚାଷୀ ମାନଙ୍କ ପାଇଁ ଶତକଡା ୪୦ ଭାଗ, ମହିଳା ଚାଷୀ ଙ୍କୁ ୫୦ ଭାଗ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ୭୫ ଭାଗ ରିହାତି ରହିଛି । ଏହି ଅବସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପ୍ରସ୍ତୁତ ମିଲେଟ କେକ କୁ ଅତିଥି ମାନେ କାଟିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

three × 4 =