ଆଜି ମକର ଚୌରାଶୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

0 92

ପୁରୀ : ଶ୍ରୀମନ୍ଦିର ଆଜି ମକର ସଂକ୍ରାନ୍ତି ନୀତି । ଶ୍ରୀଜୀଉମାନେ ଆଜି ମକର ଚୌରାଶୀ ବେଶରେ ଦର୍ଶନ ଦେବେ । ପବିତ୍ର ମକର ସଂକ୍ରାନ୍ତି ଅବସରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ପ୍ରସାଦ ଲାଗି ହେବାର ପରମ୍ପରା ରହିଛି । ଆଜି ମହାପ୍ରଭୁ ସ୍ୱତନ୍ତ୍ର ମକର ଚୌରାଶି ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏହି ବେଶରେ ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ଛଅମୂର୍ତ୍ତୀ ଅଳଙ୍କାରରେ ଭୁଷିତ କରାଯାଏ । ମଧ୍ୟାନ୍ନ ଧୂପ ପରେ ନଡିଆ, ଘିଅ, ମିଠା, ଦୁଧ, ସର, ଖୁଆ ଓ ଚାଉଳକୁ ମିଶ୍ରିତ କରାଯାଇ ମକର ଭୋଗ ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ । ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ପରଠାରୁ ମକର ନିତୀ ପାଳନ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଆଲାମଚଣ୍ଡୀ ମନ୍ଦିରରୁ ଆସିଥିବା ମକର ତାଡକୁ ଭୋଗମଣ୍ଡପରୁ ଆଣି ସେବାୟତମାନେ ସେଥିରେ ମକର ଚାଉଳ ପ୍ରସ୍ତୁତ କରିଥାନ୍ତି । ଏଥିସହିତ ଶ୍ରୀଜୀଉଙ୍କୁ ମକର ଚୌରାଶି ବେଶ କରାଯିବା ସହିତ ପ୍ରସ୍ତୁତ ହୋଇଥିବା ମକର ଚାଉଳକୁ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରାଯଇଥାଏ । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ବାରମାସରେ ତେର ପର୍ବ ପାଳନ ହୋଇଥାଏ ବୋଲି ଲୋକ କଥାରେ ରହିଛି । ସେଥି ମଧ୍ୟରୁ ମକର ସଂକ୍ରାନ୍ତି ପର୍ବ ଅନ୍ୟତମ । ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ହଜାର ହଜାର ଭକ୍ତଙ୍କ ଆଗମନ ହୋଇଚି । ମହାପ୍ରଭୁଙ୍କ ମକର ଚାଉଳ ପ୍ରସାଦ ରୂପେ ପାଇବା ପାଇଁ ଭକ୍ତ ମାନେ ମଧ୍ୟ ଉତ୍କଣ୍ଠାରେ ଅଛନ୍ତି । ସେପଟେ ମହାପ୍ରଭୁଙ୍କ ମକର ସଂକ୍ରାନ୍ତି ନୀତି ଅବସରରେ ବିଭିନ୍ନ ମଠ ମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଭୋଗ ରୂପେ ଅର୍ପଣ କରାଯାଏ । ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ବିଭିନ୍ନ ମଠ ମନ୍ଦିର ମଧ୍ୟ ଚଳଚଞ୍ଚଳ ହୋଇପଡିଛି । ସେପଟେ ଶ୍ରୀ ମନ୍ଦିରକୁ ହଜାର ହଜାର ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଚି । ଭକ୍ତମାନେ ଶୃଙ୍ଖଳିତ ଭବେ ପ୍ରଶାସନର ବ୍ୟବସ୍ଥା ଅନୁଯାୟୀ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୁରୀ ପୋଲିସ୍‌ ପକ୍ଷରୁ ଅନୁରୋଧ କରାଯାଇଛି ।

hiranchal ad1
Leave A Reply

Your email address will not be published.

nineteen − 17 =