ବିଶାଳ ପରିକ୍ରମା ପ୍ରକଳ୍ପ ପଦଯାତ୍ରା, ସାମିଲ ହେଲେ ୧୦ହଜାର ଛାତ୍ର ଓ ଯୁବକ

0 112

ପୁରୀ : ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ପରିକ୍ରମା ପ୍ରକଳ୍ପ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ଆଜି ବିଶାଳ ପରିକ୍ରମା ପ୍ରକଳ୍ପ ଯାତ୍ରା କରାଯାଇଛି ।ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦ ହଜାର ଛାତ୍ର, ଯୁବକଙ୍କୁ ଏହି ବିଶାଳ ପଦଯାତ୍ରା କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଏସପି ପ୍ରକଳ୍ପ ସଫଳତା ପାଇଁ ଧନ୍ୟବାଦ୍‌ ଜଣାଇଛନ୍ତି । ଶ୍ରଦ୍ଧାଳୁଙ୍କ ପରିକ୍ରମା ମାର୍ଗରେ ପ୍ରଶିକ୍ଷଣ ତଥା ଦର୍ଶନ ପାଇଁ ଆଜି ଠାରୁ ବ୍ୟବସ୍ଥା କରାଯାଇଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଓ ଲୋକାର୍ପଣ ପରେ ଆଜିଠାରୁ ପରିକ୍ରମା ମାର୍ଗ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି । ଉଭୟ ଅନ୍ତଃ ଓ ବାହ୍ୟ ପରିକ୍ରମା ମାର୍ଗ ପ୍ରଦିକ୍ଷଣ କରୁଛନ୍ତି ଶ୍ରଦ୍ଧାଳୁଙ୍କ । ଆଜି ରାଜ୍ୟର ୩୦ ଜିଲ୍ଲାରୁ ୧୦ ହଜାରରୁ ଉର୍ଦ୍ଧ୍ୱ ଯୁବ,ଛାତ୍ର ,ମହିଳାଙ୍କୁ ନେଇ ବିଶାଳ ପଦଯାତ୍ରା କରାଯାଇଛି ।
ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ବୀରହରେକୃଷ୍ଣପୁର ଛକରୁ ଏହି ବିଶାଳ ପଦଯାତ୍ରା ବାହାରି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ପରେ ସମସ୍ତ ପ୍ରଦିକ୍ଷଣ କରିବା ସହ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ମହାନ୍‌ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଯୁବ ଶକ୍ତିଙ୍କୁ ଯୋଡିବା,ସେମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିବା ସହ ପ୍ରକଳ୍ପ ସମ୍ପର୍କରେ ଅବଗତ କରାଇବା ପାଇଁ ଏହି ବିଶାଳ ପଦଯାତ୍ରା କରାଯାଇଥିଲା । ରାଜ୍ୟର ବହୁ ଯୁବ ବିଜେଡି ବିଧାୟକଙ୍କ ସହ ପୁରୀ ଜିଲ୍ଲାର ସମସ୍ତ ବିଜେଡି ବିଧାୟକ,ନେତା ସାମିଲ ହୋଇଥିଲେ । ଢୋଲ, ସଙ୍କୀର୍ତ୍ତନ, ମେଢ଼ ନୃତ୍ୟ ମଧ୍ୟରେ ଏହି ପଦଯାତ୍ରା ବଡ଼ଦାଣ୍ଡରେ ସୃଷ୍ଟି କରିଥିଲା ଏକ ଆଧ୍ୟାତ୍ମିକ ପରିବେଶ । ଜୟ ଜଗନ୍ନାଥ ଧ୍ୱନିରେ ସମସ୍ତେ ନିଜକୁ ହଜାଇ ଦେଇଥିଲେ ।
ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ପାଇଁ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶ୍ରୀସେତୁ,ଶ୍ରୀମାର୍ଗ,ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ,ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଏହି ଫୋର୍ସ ମୁତୟନ କରାଯାଇଛି । ଆଜିଠାରୁ ପରିକ୍ରମା ମାର୍ଗ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଥିବାରୁ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ତଥା ପରିକ୍ରମା ମାର୍ଗରେ ପ୍ରଦିକ୍ଷଣ ପାଇଁ ଭକ୍ତଙ୍କ ଭିଡ ବଢିବ । ଏହାକୁ ଦୃଷ୍ଟିରେ ଏହି ଗହଳି ନିୟନ୍ତ୍ରଣ,ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପାର୍କିଂ,ଟ୍ରାଫିକ ସୁପରିଚାଳନା ପାଇଁ ଏଭଳି ବ୍ୟବସ୍ଥା କରିଛି ପୁରୀ ଜିଲ୍ଲା ପୋଲିସ ପ୍ରଶାସନ । ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ୪୦ ଜଣ ଘରୋଇ ସିକ୍ୟୁରିଟି ଗାର୍ଡ ମୁତୟନ ହୋଇଛନ୍ତି । ପରିକ୍ରମା ମାର୍ଗରେ ପ୍ରଦିକ୍ଷଣ ପାଇଁ ଆସୁଥିବା ଭକ୍ତ ଉଭୟ ଶ୍ରୀମାର୍ଗ ଓ ବଡ଼ଦାଣ୍ଡ ପଟୁ ପ୍ରବେଶ କରିପାରିବେ । ପରିକ୍ରମା ଭକ୍ତଙ୍କ ସହ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଦର୍ଶନରେ ସହାୟତା ପାଇଁ ଦକ୍ଷ ପୋଲିସ ଅଧିକାରୀ, ଯୁବ ଶକ୍ତିର ସ୍ୱେଚ୍ଛାସେବୀ ନିୟୋଜିତ ରହିବେ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓଡିଶାର ଗର୍ବ ଓ ଗୌରବ । ଏହାର ସଫଳ ଋପାୟନ, ପ୍ରଚାର ଓ ପ୍ରସାରରେ ସମସ୍ତଙ୍କ ଅକୁଣ୍ଠ ଓ ଅଦ୍ଭୁତପୂର୍ବ ସହଯୋଗ ପାଇଁ ଐତିହାସିକ ଉତ୍ସବର ଆୟୋଜନ ସାଫଲ୍ୟମଣ୍ଡିତ ହେଇପାରିଲା ବୋଲି ସୋସିଆଲ ମିଡ଼ିଆ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ।

hiranchal ad1
Leave A Reply

Your email address will not be published.

four × 4 =