ବୌଦ୍ଧ,୧୭/୩:- ବୌଦ୍ଧ ଆଦର୍ଶ ଥାନା ପୋଲିସ ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଡିମିରିଖୋଲ ଗ୍ରାମ ବିଡାମାସ୍କା ଜଙ୍ଗଲରେ ଚଢାଉ କରି ୧ କୋଟି ୬୦ ଲକ୍ଷ ଟଙ୍କାର ୧୫୬୦ କେଜି ଗଞ୍ଜେଇ ଜବତ କରିଛି । କିନ୍ତୁ ଘଟଣା ସ୍ଥଳରୁ ମାଫିଆମାନେ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଡିମିରିଖୋଲ ଗ୍ରାମ ବିଡାମାସ୍କା ଜଙ୍ଗଲରେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେବା ନେଇ ପ୍ରସ୍ତୁତି ଚାଲିଥିବା ନେଇ ବୌଦ୍ଧ ପୋଲିସକୁ କୌଣସି ସୂତ୍ରରୁ ଖବର ମିଳିଥିଲା । ଖବର ପାଇ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଏସଡିପିଓ କୁଲଦୀପ ମୀନା ଏବଂ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ ମୁନିଙ୍କ ନେତୃତ୍ୱରେ ଏକ ଟିମ୍ ସେହି ଅଞ୍ଚଳରେ ଚଢାଉ କରିଥିଲେ ।
ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେହି ସ୍ଥାନରୁ ୧୫ କୁଇଣ୍ଟାଲ୍ ୬୦ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ଆଦର୍ଶ ଥାନା ପୋଲିସ । ତେବେ ଘଟଣା ସ୍ଥଳରୁ ମାଫିଆମାନେ ଫେରାର ହୋଇଯାଇଥିଲେ ମଧ୍ୟ ପୋଲିସ ୩ ଜଣ ମାଫିଆଙ୍କୁ ଚିହ୍ନଟ କରି ତାଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୬୦ ଲକ୍ଷ ହେବା ନେଇ ସୂଚନା ମିଳିଛି । ଚଳିତବର୍ଷ ଆଦର୍ଶ ଥାନା ପୋଲିସ ପ୍ରାୟ ୩ ହଜାର ୮୦୦ କେଜି ଗଞ୍ଜେଇ ଜବତ କରିଥିବା ବେଳେ ପ୍ରାୟ ୧୭ ଜଣ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି ।