ଦଶପଲ୍ଲା ପଶ୍ଚିମାଞ୍ଚଳରେ ପୁଣି ଏକ ଜନନୀ ଯନ୍ତ୍ରଣା

0 217

ଦଶପଲ୍ଲା : ଦଶପଲ୍ଲାରେ ଜନନୀ ଯନ୍ତ୍ରଣାର ଆଉ ଏକ ବିକଳଚିତ୍ର ସରକାରୀ ବିଧି ବ୍ୟବସ୍ଥାକୁ ପଦାରେ ପକାଇଛି। ଗାଁକୁ ରାସ୍ତା ନଥିବା ହେତୁ ଯାଇପାରିଲାନି ଆମ୍ବୁଲାନ୍ସ। ପ୍ରାୟ ୨ କିମି ରାସ୍ତା ଏକ ଷ୍ଟ୍ରେଚର୍ରେ ଜଣେ ଗର୍ଭବତୀ ମହିଳାଙ୍କୁ ବୋହି ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚା ଯାଇଥିବା ଦେଖିବାକୁ ମିଳିଛି। ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରା ପଞ୍ଚାୟତର ଗୋପାଳପୁର ମଠସାହି ଗ୍ରାମରେ ଏଭଳି ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ସରୋଜିନୀ ପ୍ରଧାନ (୨୮) ଗତକାଲି ବିଳମ୍ବିତ ରାତିରେ ପ୍ରସବ ବେଦନା ପାଇଥିଲେ। ଗାଁକୁ ରାସ୍ତା ନଥିବା ହେତୁ ବର୍ଷାହେଲେ ପାଦ ପକାଇବା କଷ୍ଟକର ହୋଇ ପଡ଼ୁଛି। ତେଣୁ ରାତି ଅନ୍ଧାରେ ସ୍ବାସ୍ଥ୍ୟକେନ୍ଦ୍ର ନଆଣି ପରିବାର ଲୋକ ରହି ଯାଇଥିଲେ। ସକାଳୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ଆମ୍ବୁଲାନ୍ସ ପହଞ୍ଚିଥିଲା । ଗାଁ ଠାରୁ ପ୍ରାୟ ୨କିମି ପୂର୍ବରୁ ଆମ୍ବୁଲାନ୍ସ ଆଉ ଆଗକୁ ଯାଇ ପାରିନଥିଲା । ଫଳରେ ଆମ୍ବୁଲାନ୍ସ କର୍ମଚାରୀମାନେ ଷ୍ଟ୍ରେଚର୍ ନେଇ ଗାଁରେ ପହଞ୍ଚିଥିଲେ । ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚର୍ରେ ପରିବାର ଲୋକଙ୍କ ସହାୟତାରେ ଆଣିଥିଲେ। ମହିଳାଙ୍କୁ ସୁରକ୍ଷିତ ଅବସ୍ଥାରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବଡ଼କଥା ହେଉଛି ରାଜ୍ୟରେ ଗାଁ ଠାରୁ ମୁଖ୍ୟ ସଡ଼କକୁ ସଂଯୋଗ କରିବା ପାଇଁ ମାଳମାଳ ଯୋଜନାରେ ପକ୍କା ସଡ଼କ ନିର୍ମାଣ ହେଉଥିବା ବେଳେ ବର୍ଷା ହେଲେ ଦଶପଲ୍ଲା ବ୍ଲକର ଅନେକ ଗାଁ କୁ ଯୋଗାଯୋଗ ବିଛିନ୍ନ ହେବା ତଥା ଖଟିଆରେ ରୋଗୀ ବୁହାହୋଇ ଆସିବା ସରକାରୀ ଯୋଜନାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି।

hiranchal ad1
Leave A Reply

Your email address will not be published.

five + 11 =