ବିଗୁଡୁଛି ସଂପର୍କ, ଭାରତୀୟ ଆମ୍ବକୁ ଆମେରିକାର ପ୍ରତ୍ୟାଖ୍ୟାନ

0 134

ନୂଆଦିଲ୍ଲୀ: ଆମେରିକା ଭାରତୀୟ ରପ୍ତାନିକାରୀଙ୍କୁ ଝଟ୍‌କା ଦେବା ଭଳି କାର୍ଯ୍ୟ କରିଛି। ଭାରତରୁ ଲସ୍‌ଏଞ୍ଜେଲ୍ସ, ସାନ୍‌ ଫ୍ରାନ୍‌ସିସ୍କୋ ଓ ଆଟଲାଣ୍ଟା ବିମାନବନ୍ଦରରେ ୧୫ କଣ୍ଟେନରରେ ପହଞ୍ଚତ୍ଥିବା ଆମ୍ବକୁ କାଗଜପତ୍ରରେ ତ୍ରୁଟି ଥିବା ଦର୍ଶାଇ ଆମେରିକୀୟ କର୍ତ୍ତୃପକ୍ଷ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏଥିଯୋଗୁ ଭାରତୀୟ ବ୍ୟବସାୟୀମାନଙ୍କୁ ୫ ଲକ୍ଷ ଡଲାର (ପ୍ରାୟ ୪ କୋଟି ୨୮ ଲକ୍ଷ ଟଙ୍କା)ର କ୍ଷତି ସହିବାକୁ ପଡ଼ିଛି।
ଇକୋନୋମିକ୍‌ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଭାରତରୁ ଏୟାର ଗାର୍ଗୋ ଯୋଗେ ୧୫ ଶିପ୍‌ମେଣ୍ଟରେ ଆମ୍ବ ପଠାଯାଇଥିଲା। ମୁମ୍ବାଇରୁ ରପ୍ତାନି ପୂର୍ବରୁ ମେ’ ୮ ଓ ୯ ତାରିଖରେ ନଭି ମୁମ୍ବାଇରେ ଥିବା ୟୁନାଇଟେଡ୍‌ ଷ୍ଟେଟ୍ସ ଡିପାର୍ଟମେଣ୍ଟ ଅଫ୍‌ ଏଗ୍ରିକଲ୍ଚର (ୟୁଏସ୍‌ଡିଏ) ପ୍ରତିନିଧିଙ୍କ ତତ୍ତ୍ୱାବଧାନରେ ଆମ୍ବଗୁଡ଼ିକୁ ରେଡିଏଶନ୍‌ ଟ୍ରିଟ୍‌ମେଣ୍ଟ ପ୍ରକ୍ରିୟା ଜରିଆରେ ଯାଞ୍ଚ କରାଯାଇଥିଲା। ପିପିକ୍ୟୁ ୨୦୩ ଫର୍ମର ଆବଶ୍ୟକତା ଅନୁସାରେ ଉକ୍ତ ପ୍ରକ୍ରିୟାରେ ଆମ୍ବରେ କୀଟାଣୁନାଶ କରି ଏହାକୁ ଅଧିକ ସମୟ ସତେଜ ରଖିବା ସକାଶେ ବିକିରଣର ନିୟନ୍ତ୍ରିତ ଡୋଜ୍‌ ଦିଆଯାଇଥାଏ। ଆମେରିକାକୁ କୌଣସି ଫଳ ରପ୍ତାନି କରିବାକୁ ହେଲେ ଏହି ପ୍ରକ୍ରିୟା ଆପଣାଇବା ବାଧ୍ୟତାମୂଳକ କରାଯାଇଛି। ଏହା କରାଯିବା ସତ୍ତ୍ୱେ ଆମେରିକୀୟ ଅଧିକାରୀମାନେ ପିପିକ୍ୟୁ ୨୦୩ ଫର୍ମରେ ତ୍ରୁଟି ଥିବା ଦର୍ଶାଇ କଣ୍ଟେନରଗୁଡ଼ିକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ରପ୍ତାନିକାରୀଙ୍କୁ ଦୁଇଟି ବିକଳ୍ପ ଦିଆଯାଇଥିଲା- ଆମ୍ବଗୁଡ଼ିକୁ ନଷ୍ଟ କରିଦିଅ କିମ୍ବା ଭାରତକୁ ଫେରାଇ ନିଅ। ତେବେ ଭାରତକୁ ଆମ୍ବ ଫେରାଇ ଆଣିବା ବ୍ୟୟବହୁଳ ହୋଇଥିବାରୁ ରପ୍ତାନିକାରୀମାନେ ସେଗୁଡ଼ିକୁ ନଷ୍ଟ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ଘଟଣା ଭାରତୀୟ ବ୍ୟବସାୟୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଥିସହ ଅନ୍ତର୍ଜାତୀୟ ବଜାରର ମାନକ ପୂରଣ ଦିଗରେ ଅଧିକ ଯନତ୍ବାନ ହେବା ଆବଶ୍ୟକ ବୋଲି ବାର୍ତ୍ତା ଦେଇଛି। ଅନେକ ଭାରତୀୟ ବ୍ୟବସାୟିକ ସଂସ୍ଥା ଭବିଷ୍ୟତରେ ଏପରି କ୍ଷତି ଏଡ଼ାଇବା ପାଇଁ ବର୍ତ୍ତମାନ ନିୟାମକ କର୍ତ୍ତୃପକ୍ଷମାନଙ୍କ ମଧ୍ୟରେ ଉନ୍ନତ ସମନ୍ବୟ ରକ୍ଷା ଦାବି କରିଛନ୍ତି। ବିଶ୍ୱରେ ଭାରତୀୟ ଆମ୍ବର ଚାହିଦା ରହିଥିବାବେଳେ ଆମେରିକାର ଏପରି ପ୍ରତ୍ୟାଖ୍ୟାନ ଯୋଗୁ ବ୍ୟବସାୟୀମାନଙ୍କୁ ଝଟ୍‌କା ଲାଗିଛି। ଆଗାମୀ ଋତୁରେ ଏପରି ସମସ୍ୟା ଏଡ଼ାଇବା ଲାଗି ସେମାନେ ଆହୁରି ଅଧିକ ପ୍ରସ୍ତୁତ ହେବେ ବୋଲି କହିଛନ୍ତି। ଅନ୍ୟ ଜଣେ ବ୍ୟବସାୟୀ ଏହାଦ୍ୱାରା ଆମେରିକା ସହ ଭାରତର ବାଣିଜି୍ୟକ ସମ୍ପର୍କ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି।

hiranchal ad1
Leave A Reply

Your email address will not be published.

three × 3 =