ପୁରୀ-ପୁରୀ ସମୁଦ୍ରରେ ବଡ଼ ଅଘଟଣ। ସ୍ପିଡ ବୋଟ ରେ ପର୍ଯ୍ୟଟକ ମାନେ ଜଳକ୍ରୀଡା କରୁଥିବା ବେଳେ ଗଭୀର ସମୁଦ୍ରରେ ଓଲଟି ପଡିଲା ସ୍ପିଡ ବୋଟ। l ଓ୍ବାଟର ସ୍ପୋର୍ଟସ ଗେମ୍ ସମୟରେ ଏକ ବଡ଼ ଲହଡ଼ି ଆସିବାରୁ ପର୍ଯ୍ୟଟକଙ୍କ ସହ ସ୍ପିଡ ବୋଟ ଟି କିଭଳି ଓଲଟି ପଡିଥିଲା। ତେବେ ବେଳାଭୂମିରେ ଉପସ୍ଥିତ ଲାଇଫ ଗାର୍ଡ ଙ୍କ ତ୍ଵରିତ କାର୍ଯ୍ୟ ଯୋଗୁ ଚାରିଜଣ ନିରୀହ ପର୍ଯ୍ୟଟକଙ୍କ ଜୀବନ ବଞ୍ଚିଗଲା। ତେବେ ବଡ କଥା ହେଉଛି ଏହି ବୋଟ ରେ ଭାରତ କ୍ରିକେଟ ଟିମ୍ ର ପୂର୍ବତନ ଅଧିନାୟକ ସୌଭର ଗାଙ୍ଗୁଲି ଙ୍କ ଭାଇ ତଥା ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ସ୍ନେହାଶିଶ ଗାଙ୍ଗୁଲି ଓ ତାଙ୍କ ପତ୍ନୀ ତଥା ସୌରଭ ଗାଙ୍ଗୁଲିଙ୍କ ଭାଉଜ ଅର୍ପିତା ଗାଙ୍ଗୁଲି ଥିଲେ।
ପୁରୀ ବେଳାଭୂମି ର ଲାଇଟ ହାଉସ ନିକଟ ହୋଟେଲ ସୋନାର ବାଙ୍ଗଲା ସମ୍ମୁଖ ବେଳାଭୂମିରେ ଏହି ଅଭାବନୀୟ ଘଟଣା ଘଟିଥିଲା। ସ୍ପିଡ ବୋଟ ବ୍ୟବସାୟ କରୁଥିବା ସଂସ୍ଥାର ଅନଭିଜ୍ଞ କର୍ମଚାରୀ ଙ୍କ ଯୋଗୁ ସ୍ପିଡ ବୋଟଟି ଭାରସାମ୍ୟ ହରାଇ ଗଭୀର ସମୁଦ୍ରରେ ଓଲଟି ପଡିଥିବା ଅଭିଯୋଗ ହୋଇଛି। ସେହିପରି ସାମୁଦ୍ରିକ ଜଳକ୍ରୀଡା ପାଇଁ ଆବଶ୍ୟକ ଥିବା ସମସ୍ତ ଗାଇଡ ଲାଇନ ସ୍କାଏ ରାଇଡର କମ୍ପାନୀ ମାନୁନଥିବା ସାଂଘାତିକ ଅଭିଯୋଗ ହୋଇଛି। ସବୁଠାରୁ ସାଂଘାତିକ ଘଟଣା ହେଉଛି ପୁରୀ ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଏହି ସ୍କାଏ ରାଇଡର ସଂସ୍ଥା ଅତି ବିପଦଜନକ ଭାବେ ସମୁଦ୍ରରେ ପର୍ଯ୍ୟଟକଙ୍କୁ ନେଇ ଜଳକ୍ରୀଡା କରାଉଥିବା ଘଟଣା ସାମ୍ନାକୁ ଆସିଛି। ପର୍ଯ୍ୟଟକଙ୍କ ଜୀବନ ସହିତ ଖେଳ ଖେଳୁଥିବା କମ୍ପାନୀର ବ୍ୟବସାୟ ଉପରେ ଜିଲ୍ଲା ପ୍ରଶାସନ ରୋକ ଲଗାଇବା ପାଇଁ ଦାବି ହୋଇଚି।

ସ୍ପିଡ ବୋଟ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଥିବା ଅର୍ପିତା ଗାଙ୍ଗୁଲି କହିଛନ୍ତି , ସମୁଦ୍ର ଜୁଆର ବହୁତ୍ ଅଧିକ ଥିଲା। ବିପଦ ଥିବା ସତ୍ତ୍ବେ ହେଲେ କିଛି ଟଙ୍କା ଲୋଭ ରେ ଉକ୍ତ ସଂସ୍ଥା ଆମକୁ ସ୍ପିଡ ବୋଟ ରେ ବସାଇ ସମୁଦ୍ର ଭିତରକୁ ନେଇଥିଲେ। ତେବେ ଉଚ୍ଚ ଜୁଆର ଯୋଗୁଁ ସ୍ପିଡ ବୋଟ ଟି ଓଲଟି ପଡ଼ିଥିଲା। ଆମେ ପାଣି ଭିତରେ ପଡ଼ି ଯାଇଥିଲୁ। ଆମ ଉପରେ ବୋଟ ଟି ରହିଯାଇଥିଲା। ତେବେ ଆମେ ତାଙ୍କର ଲାଇସେନ୍ସ ଅଛି କି ନାହିଁ ପଚାରିଲୁ। ହେଲେ ସ୍ପିଡ ବୋଟ କମ୍ପାନୀ କିଛି ସ୍ପଷ୍ଟ କହିପାରିନଥିଲେ। ଆମେ ଓଡ଼ିଶା ସରକାରଙ୍କୁ ଅନୁରୋଧ କରୁଚୁ ଏଭଳି ବେଆଇନ କାର୍ଯ୍ୟ ପୁରୀ ବେଳାଭୂମି ରେ ବନ୍ଦ କରନ୍ତୁ। ଏହା ନ ହେଲେ ପର୍ଯ୍ୟଟକଙ୍କ ଜୀବନ ଚାଲିଯିବ। ସୌଭାଗ୍ୟର କଥା ବେଳାଭୂମି ରେ ଲାଇଫ ଗାର୍ଡ ଥିବା ଯୋଗୁ ଆମକୁ ସେମାନେ ସମୁଦ୍ର ଭିତରୁ ଉଦ୍ଧାର କଲେ। ଏହି ଦୁର୍ଘଟଣା ମୁଁ କେବେବି ଭୁଲି ପାରିବିନି। ତେବେ ପୁରୀ ବେଳାଭୂମି ରେ ପର୍ଯ୍ୟଟକ ଙ୍କ ସୁରକ୍ଷା କୁ ଓଡ଼ିଶା ସରକାର ଗୁରୁତ୍ବ ଦିଅନ୍ତୁ। ଆମେ ନିଶ୍ଚିତ ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ପୁରୀ ଏସପି ଙ୍କୁ ଚିଠି ଲେଖି ଏହି ଦୁର୍ଘଟଣା ବିଷୟରେ ଅବଗତ କରାଇବୁ। ଏଭଳି ବେଆଇନ ସ୍ପିଡ ବୋଟ ବ୍ୟବସାୟ ବନ୍ଦ ହେବା ଦରକାର।
