ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ ଦେଇ ଯାଇଥିବା ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପର ଚାରି ନମ୍ବର ଟନେଲ ଭୁଶୁଡି ଥିବା ଖବର ସାମ୍ନାକୁ ଆସିଛି । ଏହି ଟନେଲ ଓଡିଶାରେ ବୃହତ ଟନେଲ ହୋଇଥିବା ବେଳେ ଲମ୍ବ ପ୍ରାୟ ଚାରି କିଲୋମିଟରରୁ ଉର୍ଦ୍ଧ୍ୱ ରହିଛି । ଆଡେଣିଗଡ଼ ଠାରୁ ଅନତି ଦୂର କଖାରୁଫାଳ ନିକଟରେ ଟନେଲଟି ଭୁଶୁଡ଼ି ଯାଇଛି ।


ପ୍ରାୟ ୬୦ ଫୁଟରୁ ଉର୍ଦ୍ଧ୍ୱ ତଳକୁ ମାଟି ଭୁଶୁଡ଼ି ଯାଇ ବିରାଟ ଗର୍ତ୍ତ ସୃଷ୍ଟି ହୋଇ ଟନେଲ ଅବରୋଧ ହୋଇଯାଇଛି । ତେବେ ନିମ୍ନ ମାନର କାର୍ଯ୍ୟ ନିରାପତ୍ତା ନ ଥିବା ସକାଶେ ଏମିତି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଭୁଶୁଡ଼ି ଯାଇଥିବା ଟନେଲର ଚାରି ପଟେ କମ୍ପାନୀ ଦ୍ୱାରା ଆବଧ କରିଦିଆ ଯାଇଛି । ଟନେଲ ଭିତରେ କିଏ କିଏ, କେତେଜଣ ଶ୍ରମିକ କାମ କରୁଥିଲେ,କେତେଜଣ ମୃତ ନା ଆହତ ଏ ବାବଦରେ କମ୍ପାନୀ କର୍ତ୍ତୃପକ୍ଷ କୌଣସି ମୁହଁ ଖୋଲୁ ନାହାନ୍ତି ।
