ବୌଦ୍ଧ- ଶେଷରେ ଦୀର୍ଘ ବର୍ଷର ଅପେକ୍ଷାର ହେଲା ଅନ୍ତ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ବୌଦ୍ଧ ଜିଲ୍ଲା ଦେଇ ସମୁଦାୟ ପ୍ରାୟ ଶହେ କିଲୋମିଟର ରେଳପଥ ଦୀର୍ଘ ଦିନ ହେଲା ନିର୍ମାଣ ଚାଲିଥିଲା । ସୋନପୁର ପଟରୁ ଉଭୟ ବୌଦ୍ଧ ଓ ପୁରୁଣାକଟକ ରେଳ ଷ୍ଟେସନ ପର୍ଯ୍ୟନ୍ତ ରେଳପଥ ନିର୍ମାଣ ସମ୍ପୂର୍ଣ୍ଣ ସହ ସିଆରଏସ ସମ୍ପୂର୍ଣ୍ଣ ହୋଇଥିଲା । ତେବେ ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ର ଉଦେଶ୍ୟରେ ବୌଦ୍ଧ ଜିଲ୍ଲାର ବହୁ ପ୍ରତୀକ୍ଷିତ ଏହି ଦୁଇ ରେଳ ଷ୍ଟେସନକୁ ଲୋକାର୍ପଣ କରିବା ସହ ରେଳ ଚଳାଚଳକୁ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରୁ ଆଭାସୀ ମାଧ୍ୟମରେ ବୌଦ୍ଧ ଜିଲ୍ଲାକୁ ଦେଶର ରେଳ ମାନଚିତ୍ରରେ ଯୋଡ଼ିଥିବାରୁ ସାରା ଜିଲ୍ଲାରେ ଆଜି ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ବୌଦ୍ଧରେ ଅନୁଷ୍ଠିତ ଏହି ଐତିହାସିକ ଉତ୍ସବରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଡିଆରଏମ ସୁବାସ ଚନ୍ଦ୍ର ଚୌଧୁରୀ, ଏସପି ରାହୁଲ ଗୋଏଲ ତଥା ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଅବସରରେ ଉଭୟ ବୌଦ୍ଧ ଓ ସୋନପୁର ଜିଲ୍ଲାର କେତେକ ରେଳ ସଂଗ୍ରାମୀଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ । ସନ୍ଧ୍ୟା ପ୍ରାୟ ସାଢେ ୫ ଟା ସମୟରେ ଟ୍ରେନର ଶୁଭାରମ୍ଭ ହୋଇଥିବା ବେଳେ ସମସ୍ତ ଅତିଥି ମାନେ ଉପସ୍ଥିତ ରହି ଏହି ଭବ୍ୟ ମୁହୂର୍ତ୍ତ ରେ ସାମିଲ ହୋଇଥିଲେ ।
