ଦୁବାଇ:ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ଏସିଆ କପ୍ ଫାଇନାଲ୍ ମୁକାବିଲା ଖେଳାଯିବ । ଏହି ମହାଲଢ଼େଇ ପୂର୍ବରୁ ଆଉ ଏକ ବିବାଦ ସୃଷ୍ଟି ହୋଇଛି । ଫାଇନାଲ୍ ପୂର୍ବରୁ ଉଭୟ ଦଳର ଅଧିନାୟକଙ୍କୁ ନେଇ ଆଜି ଫଟୋସୁଟ୍ ହେବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକ୍ ଅଧିନାୟକ ସଲ୍ମାନ ଅଲି ଆଘାଙ୍କ ସହ ଫଟୋସୁଟ୍ କରିବାକୁ ମନା କରି ଦେଇଥିଲେ । ପୂର୍ବରୁ ସୂର୍ଯ୍ୟକୁମାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ବେଳେ ମଧ୍ୟ ଆଘାଙ୍କ ସହ କରମର୍ଦ୍ଦନ କରିନଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

ଆଘା କହିଛନ୍ତି, ସେମାନେ (ଭାରତୀୟ ଦଳ) ଯାହା ଚାହିଁବେ ତାହା କରିପାରିବେ । ଆମେ ସମସ୍ତ ନିୟମ ପାଳନ କରୁଛୁ । ଫଟୋସୁଟ୍ ଆସିବା ନିଷ୍ପତ୍ତି ସେମାନଙ୍କ ଉପରେ ନିର୍ଭର କରୁଛି । ସେମାନେ ନ ଆସିଲେ ଆମେ କିଛି କରିପାରିବୁନି । ସେ ଆହୁରି ମଧ୍ୟ କହିଥିଲେ, ଫାଇନାଲ୍ ଖେଳିବା ଏବଂ ଟ୍ରଫି ଜିତିବା ଉପରେ ଆମେ ଧ୍ୟାନ ଦେଉଛୁ । ଭାରତକୁ ହରାଇବା ପାଇଁ ସ୍ୱତନ୍ତ୍ର ରଣନୀତି ସହ ପଡ଼ିଆକୁ ଓହ୍ଲାଇବୁ । ପୂର୍ବଭଳି ଏହି ମ୍ୟାଚ୍ରେ ଆମ ଉପରେ ଅଧିକ ଚାପ ରହିବ । ଆମେ ପୂର୍ବ ତ୍ରୁଟି ସୁଧାରି ନେଇଛୁ । ଭାରତକୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ରହିଛୁ ବୋଲି ଆଘା ପ୍ରକାଶ କରିଛନ୍ତି ।
